ଭୁବନେଶ୍ୱର: ଏଣିକି ସରକାରୀ ବସ୍ରେ ମାଗଣାରେ ସ୍କୁଲ ଓ କଲେଜକୁ ଯାତାୟାତ କରିପାରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ସରକାରୀ ବସ୍ରେ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଥିଲେ ।
ବସ୍ ରୁଟ୍ ଓ ସ୍କୁଲ, କଲେଜ ସମୟ ଅନୁସାରେ ଚଳାଚଳକୁ ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପିଲାଙ୍କ ରୁଟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ସମୟକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମୟରେ ପରିବର୍ତ୍ତନ କରିବାକୁ ଓଏସଆରଟିସିକୁ ସୂଚନା ଦିଆଯାଇଛି ।