ଗଜପତି: ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମାଛମରା ଅପଗ୍ରେଡ୍ ହାଇସ୍କୁଲର ତିନି ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରଥ, ସହକାରୀ ଶିକ୍ଷକ ହିନ୍ଦୀ ଶିକ୍ଷକ ଏସ୍.ଜୟା ରାଓ ଏବଂ କ୍ରୀଡ଼ା ଶିକ୍ଷକ ବି ରାଜା ଶେଖରାମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତକିଛି ମାସ ହେଲାଣି ସ୍କୁଲରେ ଶିକ୍ଷକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏ ନେଇ ଗତକାଲି ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ପ୍ରାଥମିକ ଶିକ୍ଷକ ଏବଂ ହାଇସ୍କୁଲ ଶିକ୍ଷକଙ୍କ ମଧ୍ୟରେ ବୈଠକ ବସିଥିଲା । ଏହି ସମୟରେ ଯୁକ୍ତିତର୍କ ହେବାରୁ ଶିକ୍ଷକମାନେ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା । ଜଣେ ଛାତ୍ର ସେମାନଙ୍କ ମଧ୍ୟରେ ପଶି ଅଟକାଇବାକୁ ଚେଷ୍ଟା କରିବାରୁ ସେ ଆହତ ହୋଇଥିଲେ । ଯାହାକୁ ନେଇ ଗ୍ରାମବାସୀ ଏବଂ ଅଭିଭାବକ ତାତିଥିଲେ ଏବଂ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ଶିକ୍ଷକଙ୍କ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଏପରିକି ବିଦ୍ୟାଳୟରେ ଆୟୋଜିତ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ହୋଇପାରିନଥିଲା ।
ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବ୍ଲକ୍ ଶିକ୍ଷାଧିକାରୀ ବିଦ୍ୟାଳୟକୁ ଯାଇ ସମସ୍ତ ଘଟଣାରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଉପରୋକ୍ତ ତିନି ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି । ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟ ଏଥିରେ ସମ୍ପୃକ୍ତି ଥିବାରୁ ପ୍ରମାଣ ମିଳିବା ପରେ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।