ଭୁବନେଶ୍ୱର: ପ୍ରଥମ ଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ର ନୂଆ ରେକର୍ଡ ସୃଷ୍ଟି କରିଛି । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଚଳଚ୍ଚିତ୍ର ‘କର୍ମ’ ବ୍ୟବସାୟିକ ସଫଳତା ସାଉଁଟିବାରେ ଲାଗିଛି । ଫିଲ୍ମଟି ମୁକ୍ତିଲାଭ କରିବାର ପ୍ରଥମ ଦିନରେ ୩୮.୧ ଲକ୍ଷ ବ୍ୟବସାୟ କରିଥିବାବେଳେ ପଞ୍ଚମ ଦିନରେ ୨ କୋଟିରୁ ଉର୍ଦ୍ଧ୍ୱ ଆୟ କରିସାରିଲାଣି ।
ରିଲିଜ୍ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଛି, ଯାହାକି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ସର୍ବକାଳୀନ ରେକର୍ଡ ବୋଲି ନିର୍ମାଣକାରୀ ସଂସ୍ଥା କହିଛି । ଦଶହରାରେ ମୁକ୍ତି ଲାଭ କରିଥିବା ଏହି ଚଳଚ୍ଚିତ୍ର ଉଭୟ ଓଡ଼ିଶା ଏବଂ ଓଡ଼ିଶା ବାହାରେ ବଡ଼ ପରଦାରେ ପ୍ରଦର୍ଶିତ ହେଉଛି । ଫିଲ୍ମଟି ପୁନେ, ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇରେ ରିଲିଜ୍ ହୋଇଛି । ପ୍ରଥମ ଦିନରେ ୩୮.୧ ଲକ୍ଷ , ଦ୍ଵିତୀୟ ଦିନରେ ୪୦.୩, ତୃତୀୟ ଦିନରେ ୪୮.୯, ଚତୁର୍ଥ ଦିନରେ ୫୬.୭ ଲକ୍ଷ ଏବଂ ପଞ୍ଚମ ଦିନରେ ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଛି ‘କର୍ମ’ ।
ଏହି ଚଳଚ୍ଚିତ୍ର ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବାବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁଭବ ମହାନ୍ତି । ସୂର୍ଯ୍ୟମୟୀ, ମନ୍ମୟ, ଦିବ୍ୟାଦିଶା, ସନୋଜ, ନିଶାନ୍ତ ମଜିଠିଆ ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି । ଆଶିଷ ପ୍ରଧାନ ଏହାର ସଙ୍ଗୀତକାର । ମାନସ ପଢ଼ିଆରି ଏହାର ସଂଳାପ ଲେଖକ । ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍।
ଯେତେବେଳେ ଏହାର ଗୀତ ଚିରିଙ୍ଗ୍ ଚିରିଙ୍ଗ୍ ରିଲିଜ୍ ହୋଇଥିଲା ସେବେଠାରୁ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।