ଭୁବନେଶ୍ୱର: ସତ୍ୟବିହାର “ନୋ ଲିମିଟ୍” ସ୍କାଏ ଆଣ୍ଡ୍ ଲାଉଞ୍ଜ୍ ରେ ଅଗ୍ନିକାଣ୍ଡ ଘଟିବା ପରେ ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ଏଠାରେ ବେଆଇନ ଭାବେ ହୁକା ବାର୍ ଚାଲିଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବାରକୁ କୌଣସି ଲାଇସେନ୍ସ ଦିଆଯାଇନଥିବା ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ରାତି ଅଧ ପର୍ଯ୍ୟନ୍ତ ଗ୍ରାହକମାନେ ଆସି ହୁକା ଟାଣନ୍ତି । ନିଶାରେ ଥିବାରୁ ବାରମ୍ବାର ଝଗଡ଼ା କରନ୍ତି । ବାରକୁ ବନ୍ଦ କରିବାକୁ ବାରମ୍ବାର ବିଏମସି ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ କେହି ତଦନ୍ତ କରିନାହାଁନ୍ତି ।
ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ମାଝୀ ଏବଂ ଅଗ୍ନିଶମ ଅଧିକାରୀ ନାରାୟଣ ଦାସ କହିଛନ୍ତି ପ୍ରାୟ ୯ଟା ପାଖାପାଖି ନିଆଁ ଲାଗିଥିବା ଖବର ଆସିଥିଲା । ଏହା ପରେ ୯ଟା ୫ ମିନିଟ୍ ସୁଦ୍ଧା ପ୍ରଥମ ଦମକଳ ଗାଡ଼ି ପହିଁଚି ଥିଲା । ବାରରେ କୌଣସି ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ସ୍ପଷ୍ଟ କରିଛନ୍ତି ।
ଏହି ଅଭିଯୋଗ ବାର୍ ମାଲିକ ଖଣ୍ଡନ କରିଛନ୍ତି । ବାର୍ ମାଲିକ ନିଜକୁ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ତଳେ ଥିବା ଏକ ହୋଟେଲ୍ ଏସିରୁ ପ୍ରଥମେ ନିଆଁ ଲାଗି ତାଙ୍କ ବାରକୁ ବ୍ୟାପିଥିଲା । ନିଆଁ ଲାଗିବାବେଳେ ବାରରେ କୌଣସି ବ୍ୟକ୍ତି ନ ଥିଲେ । ତେଣୁ କାହାର କୌଣସି କ୍ଷତି ହୋଇ ନାହିଁ । ମାତ୍ର ଦମକଳ ବାହିନୀ ଘଣ୍ଟାଏ ବିଳମ୍ବରେ ଆସିଥିଲା । ସେହିପରି ରେସ୍ତୋରାଁରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେଣୁ ଏହାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲ କହିଛନ୍ତି ।