କଟକ: ଆଜି କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହା ସହିତ ସମସ୍ତ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ଯବାନଙ୍କୁ ଶପଥ ପାଠ କରାଇଛନ୍ତି ।
ଡିଜି ଶ୍ରୀଯୁକ୍ତ ମିଶ୍ର ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଛନ୍ତି । ସ୍ଵାଧୀନତା ପରେ ୫୬୨ଟି ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା l ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି । ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତାର ମନୋଭାବ ନେଇ କାର୍ଯ୍ୟ କରିବା ସହ ଭାରତର ଇତିହାସ ପାଇଁ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବାକୁ ସେ ଆହ୍ଵାନ କରିଛନ୍ତି । ସେହିପରି ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ, ଅପରାଧ ଦମନ ଓ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାକୁ ଶ୍ରୀ ମିଶ୍ର ଗୁରୁତ୍ଵାରୋପ କରିଛନ୍ତି ।
ଏହି ଅବସରରେ ୩୪ ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଆଜିର ସମ୍ମିଳିତ ପ୍ୟାରେଡରେ ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ତୃତୀୟ ଆଇ. ଆର. ବାଟାଲିୟନ, ପୋଲିସ କଲର ପାର୍ଟି (କଟକ), ବ୍ରାସବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ l ଶ୍ରୀ ୟାକୁବ ଖାନ ତୃତୀୟ ଆଇ. ଆର. ବାଟାଲିୟନ (Commandant) ପ୍ୟାରେଡର ନେତୃତ୍ଵ ନେଇଥିଲେ l
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି (ଆଧୁନିକୀକରଣ) ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଡିଜି ଅରୁଣ ବୋଥ୍ରା, ଆଇନ ଓ ଶୃଙ୍ଖଳା ଅତିରିକ୍ତ ଡିଜି ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଡିଜି (କମୁନିକେସନ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।