ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୁଇ ଜଣ ସରକାରୀ ଓକିଲ ଲଢ଼ିବେ । ହାଇକୋର୍ଟର ଦୁଇ ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଏବଂ ଆଇନଜୀବୀ ଅବିନାଶ ପାଢ଼ୀ ମାମଲାକୁ ପରିଚାଳନା କରିବେ । ଏ ନେଇ ବ୍ରହ୍ମପୁର ଏସପି କ୍ରାଇମବ୍ରାଞ୍ଚର ସିଆଇଡିର ଡିଜିଙ୍କୁ ଚିଠି ଲେଖିଛନ୍ତି । 
ଆଇନଜୀବୀ କାଳୀଚରଣ ମିଶ୍ର ସିବିଆଇର ପୂର୍ବତନ ଆଇନ ପରାମର୍ଶଦାଦା ଥିଲେ । ଏହା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାର ପରିଚାଳନା କରିଥିଲେ । ସେହିପରି ଆଇନଜୀବୀ ଅବିନାଶ ପାଢ଼ୀ ଏକାଧିକ ଅପରାଧିକ ମାମଲାର ପରିଚାଳନା କରିଛନ୍ତି । ଉଭୟଙ୍କ ସହିତ ଆଲୋଚନା ପରେ ଏସପି ଉଭୟଙ୍କ ନାମ ସୁପାରିଶ କରିଛନ୍ତି । ଏହି ଦୁଇ ଆଇନଜୀବୀ ସ୍ୱତନ୍ତ୍ର ଭାବେ ପୀତବାସଙ୍କ ମାମଲା ଲଢ଼ିବେ । 
ଅନ୍ୟପକ୍ଷରେ ପୀତବାସଙ୍କ ହତ୍ୟା ମାମଲାରେ ଲଢ଼ିବାକୁ ପ୍ରାୟ ୪୦ରୁ ଅଧିକ ଆଇନଜୀବୀ ନିବେଦନ କରିଛନ୍ତି । କିନ୍ତୁ ଏଭଳି ହାଇପ୍ରୋଫାଇଲ ମାମଲାରେ କୌଣସି ଗୋଟିଏ ତ୍ରୁଟି ନ ରୁହେ ସେଥିପାଇଁ ଏସପି ବହୁତ ସତର୍କତାର ସହିତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । 
ସେପଟେ ଅଭିଯୁକ୍ତ ଶିବଶଙ୍କର ଦାଶ ଓରଫ୍ ପିଣ୍ଟୁ ଦାଶକୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି । ବ୍ରହ୍ମପୁର ଜେଲରେ ପିଣ୍ଟୁର ଅନ୍ୟ ସହଯୋଗୀମାନେ ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ପିଣ୍ଟୁକୁ ସ୍ଥାନାନ୍ତର କରାଯାଇଛି ।