ଭୁବନେଶ୍ୱର: ବିଜେଡ଼ି ଦଳକୁ ଆଗକୁ ନେବେ ଯୁବ ନେତା । ଯୁବପିଢ଼ି ଆଗକୁ ଆସି ଦାୟିତ୍ୱ ନେବା ଆବଶ୍ୟକ । ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବାକୁ ଯୁବପୀଢ଼ିମାନେ ମଙ୍ଗ ଧରିବେ । ନିଜ ଘରେ ସମସ୍ତ ଯୁବ ନେତାଙ୍କ ମେଳିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସାଂସଦ ଦେବାଶିଷ ସାମନ୍ତରାୟ ।
ଦେବାଶିଷ ସାମନ୍ତରାୟଙ୍କ କଟକ ସ୍ଥିତ ବାସଭବନରେ ଗତକାଲି ବିଜେଡ଼ି ବରିଷ୍ଠ ନେତାଙ୍କ ଦାୟାଦମାନଙ୍କୁ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ଏହାର ପ୍ରତିକ୍ରିୟାରେ ଦେବାଶିଷ କହିଛନ୍ତି ଆଗାମୀ ଦିନରେ ଏହି ଯୁବପୀଢ଼ିମାନେ ହିଁ ଦଳକୁ ଆଗକୁ ନେଇ ପାରିବେ । ଏମାନଙ୍କ ଉପରେ ଦଳ ନିର୍ଭର କରିବା ଉଚିତ । ଏମାନେ ଦଳର ଦାୟିତ୍ୱ ନେଲେ ବିଜେଡ଼ି ଆଗକୁ ବଢ଼ିପାରିବ । ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବାକୁ ଏମାନେ ମଙ୍ଗ ଧରିବେ । ଯୁବକମାନେ ଆଗେଇ ଆସି ଦାୟିତ୍ୱ ନେବା ଉଚିତ୍ ।
ଦେବାଶିଷ କହିଛନ୍ତି ଯେ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହା ପରେ ସେ ସମସ୍ତଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା । ମହେଶ୍ୱର ମହାନ୍ତିଙ୍କ ପୁଅ, ବିଜୟଶ୍ରୀ ରାଉରରାୟ, ଦାମ ରାଉତଙ୍କ ପୁଅ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା, ନଳୀନୀ ମହାନ୍ତିଙ୍କ ପୁଅ ପ୍ରମୁଖଙ୍କ ସହିତ ପ୍ରାୟ ୧୦ ଜଣ ଆସିଥିଲେ । ଏମାନେ ନିଜ ପରିବାରରେ ବିଜୁ ବାବୁଙ୍କ କଥା ଶୁଣି ବଡ଼ ହୋଇଛନ୍ତି ।