ଭୁବନେଶ୍ୱର: ଜାନୁଆରୀ ୩୧ରେ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି। ତା'ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ। ଏହି ବୈଠକରେ ଯାହା ନିଷ୍କର୍ସ ବାହାରିବ ସେହି ଆଧାରରେ ଛତିଶଗଡ଼ରେ ପକ୍ଷ ରଖିବ ରାଜ୍ୟ ସରକାରଙ୍କ ଟିମ୍। ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।
ସୂଚନାନୁଯାୟୀ, ଫେବୃଆରୀ ୭ ତାରିଖରେ ମହାନଦୀ ଟ୍ରିବୁନାଲର ପରବର୍ତ୍ତୀ ଶୁଣାଣି ରହିଛି। ଛତିଶଗଡ଼ ସରକାରଙ୍କ ସହ କଥା ହେବା ପରେ ଓଡ଼ିଶା ସରକାର ଟ୍ରିବୁନାଲଙ୍କ ନିକଟରେ ପକ୍ଷ ରଖିବେ। ଆଜି ମହାନଦୀ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି।
ଆଜି ରାଜୀବ ଭବନରେ ମହାନଦୀ କମିଟିର ଦ୍ଵିତୀୟ ଉଚ୍ଚସ୍ତରୀୟ ବୈଠକ ବସିଥିଲା। କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଥିଲେ। ତେବେ ୨୦୧୮ ମାର୍ଚ୍ଚ ୧୨ରେ ଗଠନ ହୋଇଥିବା ଟ୍ରିବୁନାଲର ଅବଧି ମାର୍ଚ୍ଚ ୧୩ରେ ସରିବ। ଏଥିପାଇଁ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ବର୍ଷ ବର୍ଷ ଧରି ମହାନଦୀ ବିବାଦକୁ ନେଇ ଆଲୋଚନା ଚାଲିଥିବା ବେଳେ ଏଯାଏଁ ସମାଧାନ ହୋଇପାରୁନି। ଅନ୍ୟପଟେ ସରକାର କହୁଛନ୍ତି କି, ଆପୋଷ ବୁଝାମଣାରେ ସମାଧାନ ହେବ, କିନ୍ତୁ ମହାନଦୀ ଉପରେ ନିର୍ମାଣ ଜାରି ରଖିଛି ଛତିଶଗଡ଼। କଲମା ବ୍ୟାରେଜ ତଳେ ବାଲି ବନ୍ଧ ବାନ୍ଧୁଛି ଛତିଶଗଡ଼, ଫଳରେ ଓଡିଶାକୁ ଆସୁଥିବା ପାଣି ଅଟକିଯାଉଛି।
ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଦାବି; ୨୪ରୁ ବନ୍ଦ ପାଇଁ ଦେଲେ ଚେତାବନୀ