ନୂଆଦିଲ୍ଲୀ: ସରକାରୀ ବାସଭବନରୁ ନଗଦ ପୋଡ଼ା ଟଙ୍କା ମିଳିବା ମାମଲାରେ ଛନ୍ଦି ହୋଇପଡ଼ିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ପାଇଁ ଅଡ଼ୁଆ ଧିରେ ଧିରେ ବଢ଼ିବାରେ ଲାଗିଛି । ତାଙ୍କଠାରୁ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରି ନିଆଯାଇଥିବାବେଳେ ତାଙ୍କ ବଦଳିକୁ ନେଇ ଏବେ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । କୌଣସି କୋର୍ଟରେ ଯଶବନ୍ତ ବର୍ମାଙ୍କୁ ବଦଳିକୁ କେହି ବି ଗ୍ରହଣ କରୁ ନାହାଁନ୍ତି । ଏହାରି ମଧ୍ୟରେ ସୋମବାର ବିଚାରପତି ବର୍ମାକୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି । ଏ ନେଇ କେନ୍ଦ୍ର ସରକାରଙ୍କୁ କଲେଜିୟମ୍ ସୁପାରିଶ କରିଛି ।
ବିଚାରପତି ଯଶବନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟ ପଠାଇବାକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛି । ଏ ନେଇ ଗତ ୨୦ ତାରିଖ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କଲେଜିୟମ କହିଛି । ଏହା ଉପରେ କେନ୍ଦ୍ର ସରକାର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବେ ।
ଅନ୍ୟପକ୍ଷରେ ଏଭଳି ସୁପାରିଶ ନେଇ ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି । ବାର ଆସୋସିଏସନ ଯଶବନ୍ତ ବର୍ମାଙ୍କ ଉପରେ ଲାଗିଥିବା ଗମ୍ଭୀର ଅଭିଯୋଗର ପ୍ରସଙ୍ଗରେ ମହାଭିଯୋଗ ପ୍ରସ୍ତାବ ଦାବି କରିଛି । ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନର ଜେନେରାଲ ବଡି ମିଟିଂରେ ୧୧ଟି ପ୍ରସ୍ତାବ ପାରିତ କରାଯାଇଛି । ବିଚାରପତି ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତ ନ କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରାଯାଇଛି । ଆହ୍ଲାବାଦକୁ ଆବର୍ଜନାସ୍ଥଳୀ ନ କରିବାକୁ ବାର ଆସୋସିଏସନ୍ କହିଛି ।
ଏହା ସହିତ ଏହି ମାମଲାରେ ସିବିଆଇ ଓ ଇଡି ଦ୍ୱାରା ଯାଞ୍ଚ କରିବାକୁ ବାର୍ ଆସୋସିଏସନ ଦାବି କରିଛି । ଯେମିତିକି ଅନ୍ୟ ସରକାରୀ ଚାକିରିଆ, ଘରୋଇ ଚାକିରିଆ ଏବଂ ରାଜନେତାଙ୍କ ବିରୋଧରେ କରାଯାଇଥାଏ । ଏମିତି ତାଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ହେପାଜତରେ ଜେରା କରିବାକୁ ଆସୋସିଏସନ୍ କହିଛି ।