ରାଉରକେଲା: ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବିମାନ ଚାଳକ ନବୀନ କଡଙ୍ଗା ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ନବୀନ କାଡ଼ଙ୍ଗା ଦୀର୍ଘ ଦଶ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ।
ହସ୍ପିଟାଲରେ ସାହସୀ ପାଇଲଟ୍ ନବୀନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । କେକ୍ କାଟି ଓ ଫୁଲ ତୋଡ଼ା ଦେଇ ବିଦାୟ ଦେଇଛନ୍ତି । ପାଇଲଟଙ୍କ ମୁଣ୍ଡ, ପିଠି ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା । ତେବେ ନବୀନ ସୁସ୍ଥ ହେବା ପରେ ପରିବାରରେ ମଧ୍ୟ ଖୁସିର ଲହରି ଖେଳି ଯାଇଛି ।
ପ୍ରକାଶ ଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଚାର୍ଟର ବିମାନ ରାଉରକେଲାରୁ ୧୦ କିଲୋମିଟର ପୂର୍ବରୁ ଜଲଦା ନିକଟରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶୀକାର ହୋଇଛି । ବିମାନରେ ମୋଟ ୯ଟି ସିଟ୍ ଉପଲବ୍ଧ ଥିବାବେଳେ ୬ ଯାତ୍ରୀ ଉପସ୍ଥିତ ଥିଲେ । ବିମାନରେ ଥିବା ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ୨ ଜଣ କ୍ର୍ୟୁ ସଦସ୍ୟ କ୍ୟାପ୍ଟେନ ନବୀନ କାଡ଼ଙ୍ଗା ଏବଂ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ଗୁରୁତର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ଜଣେ ଯାତ୍ରୀ ସୁଶାନ୍ତ ବିଶ୍ୱାଳ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।