ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ବଡ଼ ଧରଣର ଅଘଟଣ ଘଟିଛି । ପ୍ଲାଣ୍ଟରେ ଥିବା ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିଛି । ଫଳରେ ଏକାଧିକ ଶ୍ରମିକ କୋଇଲା ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି । ମୃତାହତ ନେଇ କୌଣସି ସୂଚନା ମିଳିପାରି ନ ଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ୩ଟି କ୍ରେନ୍ ନିୟୋଜିତ କରାଯାଇଛି । ଏହା ସହିତ ୩ଟି ଆମ୍ବୁଲାନ୍ସ ମଧ୍ୟ ଘଟଣା ସ୍ଥଳରେ ମହଜୁତ ରହିଛି ।
ଗୁରୁବାର ସନ୍ଧ୍ୟା ସମୟ ପ୍ରାୟ ୫. ୩୦ରୁ ୫. ୫୦ ଭିତରେ ଡାଲମିଆ ସିମେଣ୍ଟ କାରଖାନାରେ ଥିବା କ୍ୟାପଟିଭ ପାୱାର ପ୍ଲାଣ୍ଟ -୨(ସିପିପି)ରେ କୋଇଲା ହପର୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେଠାରେ କାର୍ଯ୍ୟରତ ୧୦ ରୁ ୧୨ ଜଣ ଶ୍ରମିକ ଚାପି ହୋଇ ରହିଥିଲେ । କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ୩ ରୁ ୪ ଜଣ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ, କ୍ରେନ୍ ଓ ପୋଲିସ ମୁତୟନ ହୋଇଛନ୍ତି ।
ପ୍ରାୟ ୭୦ ଟନ୍ କୋଇଲା ଥିବା ହପର୍ ଭୁଶୁଡ଼ି ପଡ଼ିଥିଲା। ହପର୍ ଭିତରେ କୋଇଲା ପାଉଡର (ଫାଇନ୍ସ ) ଗଚ୍ଛିତ ରଖାଯାଇଥାଏ । ହପରର ସେନସର କାମ ନ କରିବାରୁ ଅଘଟଣ ଘଟିଥିବା କୁହାଯାଉଛି ।
ଅନ୍ୟପକ୍ଷରେ ଅଘଟଣ ପରେ ପ୍ଲାଣ୍ଟ ବାହାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ବାହାରେ ଶତାଧିକ ଲୋକ ଏକାଠି ହୋଇଛନ୍ତି । ଖବର ପାଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସପି ଓ ତହଲସିଲଦାର ପହଁଚିଛନ୍ତି । ତେବେ ହପର୍ ଷ୍ଟ୍ରକଚର୍ କୁ ହଟାଗଲା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିଆଇଜି ।
ତେବେ ପ୍ରକୃତରେ କେତେ ଜଣ ଶ୍ରମିକ ଚାପି ହୋଇ ରହିଛନ୍ତି ସେ ନେଇ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାଁନ୍ତି । ଅଘଟଣକୁ ପ୍ରାୟ ୫ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା କମ୍ପାନୀ ତରଫରୁ କୌଣସି ସୂଚନା ନ ଦିଆଯିବାକୁ ନେଇ ଅଧିକ ଉତ୍ତେଜନା ପ୍ରକାଶ ପାଇଛି ।