ଭୁବନେଶ୍ୱର: ବଢ଼ିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ରାଜ୍ୟର ଏହି ବରିଷ୍ଠ ଆଇଏଏସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଯାହାପରେ ଲାଞ୍ଚ ମାମଲା ନେଇ ବିଷ୍ଣୁପଦ ସେଠୀଙ୍କ ଉପରେ ସିବିଆଇର ତଦନ୍ତ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି ।
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା। ବିଷ୍ଣୁପଦ ସେଠୀଙ୍କ ଘରେ ଚଢାଉ ମଧ୍ୟ ହୋଇଥିଲା। ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ ପାଇଁ ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଆଜି ଏହି ମାମଲାରେ ରାୟ ପ୍ରକାଶ କରି ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ବିଷ୍ଣୁପଦଙ୍କ ଗିରଫ ସମ୍ଭାବନା ବଢ଼ିଲା।
ସୂଚନା ଥାଉକି, ଏକ ବିଲ୍ ପାସ୍ ପାଇଁ ୧୦ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର୍ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଲିଙ୍କ୍ ରେ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରାଯିବା ସହ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ୍ କରାଯାଇଥିଲା।