ଭୁବନେଶ୍ୱର: ଆସନ୍ତା ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ନେଇ କୌଣସି ସମ୍ଭାବନା ନଥିବା ବେଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଂଚଳର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଦେଶର ଉତ୍ତର ପଶ୍ଚିମ ଭାଗରୁ ଉତ୍ତର ବାୟୁ ପ୍ରବାହ ଆହୁରି ଗୋଟିଏ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିବାର ସୂଚନା ରହିଥିବା ବେଳେ ଓଡ଼ିଶା ଓ ଏହାର ନିକଟବର୍ତୀ ଅଂଚଳରେ ଜୁନ ୧୦ ପୂର୍ବରୁ ମୌସୁମୀର ଆଗମନ ହେବ ନାହଁ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ତେବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି ।
ମୌସୁମୀ କେରଳ, ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ ତଥା ଉତର ପୂର୍ବ ରାଜ୍ୟଗୁଡ଼ିକୁ ଛୁଇଁଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସୃଷ୍ଟି ହେବ । ମାତ୍ର ଦୁଇ ବା ତିନି ଦିନ ମଧ୍ୟରେ କାଳବୈଶାଖୀ ଯୋଗୁଁ ତାତିରୁ ଆଶ୍ଵସ୍ତି ଅନୁଭବ ହେବ ।