ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ହେବା ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ପ୍ରଥମେ ପୋଲିସ ଶ୍ରବଣ ଅଗ୍ରୱାଲଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ପୋଲିସ । ସୋମବାର ପୋଲିସ ଅଢ଼େଇ ଟନ୍ ବିସ୍ଫୋରକ ଜବତ କରିଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମେ’ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ମାଓବାଦୀମାନେ ୪ ଟନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଲୁଟ୍ କରି ନେଇଥିଲେ । ଏହା ପରେ ପୋଲିସ ପକ୍ଷରୁ ସୀମାକୁ ବନ୍ଦ କରି ତଲାସୀ ଅଭିଯାନ କରିଥିଲେ । ଖୋଦ ପୋଲିସ ଡିଜି ୱାଇବି ଖୁରାନିଆ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଗତ ଶୁକ୍ରବାର ଦିନ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀର ସନ୍ଧାନ ମିଳିଥିଲା ।
ଏସ୍ଓଜି, ଡିଭିଏଫ୍, ଝାଡ଼ଖଣ୍ଡର ଜାଗୁଆର କମାଣ୍ଡୋ ବାହିନୀ ଓ ସିଆରପି କୋବ୍ରା ଯବାନଙ୍କ ମିଳିତ ଅପରେସନ୍ରେ ପ୍ରାୟ ୨.୫ ଟନ୍ ବିସ୍ଫୋରକ ଜବତ କରାଯାଇଥିଲା । ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ତିରିଲପୋଷିଠାରେ ଥିବା ଏକ ପାହାଡ଼ରେ ମାଓବାଦୀମାନେ ବିସ୍ଫୋରକକୁ ମାଟି ତଳେ ଲୁଚାଇ ରଖିଥିଲେ । ତେବେ ଏବେବି ଆହୁରି ୨ ଟନ୍ ପାଖାପାଖି ବିସ୍ଫୋରକର ସନ୍ଧାନ ମିଳିପାରି ନାହିଁ ।