ଭୁବନେଶ୍ୱର: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା ମନରୁ ଲିଭି ନ ଥିବାବେଳେ ଭୁବନେଶ୍ୱରରେ ଏକ ବାରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ସତ୍ୟବିହାର ସ୍ଥିତ ଏକ ବହୁତଳ କୋଠାରୁ ଉପର ମହଲାରେ ଥିବା ‘ନୋ ଲିମିଟ୍’ ସ୍କାଏ ଆଣ୍ଡ୍ ଲାଉଞ୍ଜ୍ ରେସ୍ତୋରାଁ ଶୁକ୍ରବାର ସକାଳୁ ସକାଳୁ ହୁତୁହୁତୁ ହୋଇ ଜଳିଯାଇଛି । ପ୍ରାୟ ଏକ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିବା ଅଗ୍ନିଶମ ଅଧିକାରୀ ନାରାୟଣ ଦାସ ସୂଚନା ଦେଇଛନ୍ତି ।
ଅଗ୍ନିଶମ ଅଧିକାରୀ କହିବା ମୁତାବକ, ଆଜି ସକାଳ ପ୍ରାୟ ୯ଟା ସମୟରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ୯ଟା ୦୫ ବେଳକୁ ପ୍ରଥମ ଗାଡ଼ି ଆସି ପହଁଛି ନିଆଁକୁ ଲିଭାଇବା କାମ ଆରମ୍ଭ କରିଥିଲେ । ଏହା ପରେ ନିଆଁର ଭୟାବହତାକୁ ଦେଖି ପାହାଳ, ମଞ୍ଚେଶ୍ୱର, ଭୁବନେଶ୍ୱର ଏମିତି ୪ଟି ଫାୟାର ଷ୍ଟେସନରୁ ୭ଟି ଦମକଳ ଗାଡ଼ି ମଗାଯାଇଥିଲା । ପ୍ରାୟ ଏକ ଘଣ୍ଟା ପରେ ନିଆଁ ସମ୍ପୂର୍ଣ୍ଣ ରୂପେ ଆୟତ୍ତକୁ ଆସିଥିଲା । ରେସ୍ତୋରାଁରେ ଅଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁର ବ୍ୟାପକତା ଅଧିକ ଥିଲା ।
ସକାଳ ସମୟ ଥିବାରୁ କୌଣସି ଗ୍ରାହକ କିମ୍ବା କର୍ମଚାରୀ ନ ଥିଲେ । ତେଣୁ କୌଣସି ପ୍ରାଣହାନୀ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି । ସକାଳୁ କୌଣସି ରୋଷେଇ କାମ ଆରମ୍ଭ ହୋଇ ନଥିଲା । ତେଣୁ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।
ସେପଟେ ସହର ମଝିରେ ଏତେ ବଡ଼ ବାର୍ ଏବଂ ରେସ୍ତୋରାଁ ରହିଛି । ମାତ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଫୁ କରି ଉଡ଼ାଇ ଦେଇଛନ୍ତି । ରେସ୍ତୋରାଁରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରଯାଇନଥିବା ଅଗ୍ନିଶମ ଅଧିକାରୀ ସ୍ପଷ୍ଟ କରିଛନ୍ତି । ସେଠାରେ ନିଆଁ ଲିଭା ଯନ୍ତ୍ର କିମ୍ବା ପାଣି ଟାଙ୍କି ନଥିଲା । ଏହା ପରେ ରାଜଧାନୀର ସମସ୍ତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।
ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏହା ଏକ ହୁକା ବାର୍ ଥିଲା । ଏହାକୁ ଲାଇସେନ୍ସ ମିଳିନଥିଲା । ରାତି ଯାଏ ଗ୍ରାହକ ବସି ହୁକା ଟାଣନ୍ତି । ବାରମ୍ବାର ଅଘଟଣ ଘଟୁଥିବାରୁ ଏହାକୁ ବନ୍ଦ କରିବାକୁ ସ୍ଥାନୀୟ ବାସିନ୍ଦା ଏସିପି ଏବଂ ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ରବିବାର ଗୋଆର ‘ବିର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ।