କେନ୍ଦ୍ରାପଡ଼ା: ଉଜୁଡ଼ା ଚାଷ ଜମି ଦେଖି ଚାଷୀଙ୍କ ଜୀବନ ଯାଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଅଦିନିଆ ବର୍ଷା ସଂସାର ଉଜାଡ଼ି ଦେଇଥିବା କହିଛନ୍ତି ପରିବାର ଲୋକ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ସନ୍ଥପଡ଼ା ଗ୍ରାମରେ । ମୃତକ ଜଣକ ହେଲେ ସନ୍ଥପଡ଼ା ଗ୍ରାମର ଚାଷୀ ଭାବଗ୍ରାହୀ ମଲ୍ଲିକ ।
ଭାବଗ୍ରାହୀ ମଲ୍ଲିକ ୭ ଏକର ଜମିରେ ଧାନ ଚାଷ କରିଥିଲେ । ୪ ଏକର ସେ ଭାଗଚାଷ କରିଥିବା ବେଳେ ନିଜର ୩ ଏକର ଜମିରେ ଧାନ ଚାଷ କରିଥିଲେ । ଅଦିନିଆ ଲଘୁଚାପ ଜନିତ ବର୍ଷା କମିବା ବେଳେ ବୁଧବାର ସକାଳେ ଭାବଗ୍ରାହୀ ଚାଷ ଜମି ଦେଖିବାକୁ ଯାଇଥିଲେ । କଟାଯାଇଥିବା ପ୍ରାୟ ୩ ଏକର ଧାନ ପାଣିରେ ବୁଡ଼ିକି ରହିଥିଲା । ଯାହାକୁ ଦେଖିବା ପରେ ବାକ୍ ଶୂନ୍ୟ ହୋଇଯାଇଥିଲେ ଭାବଗ୍ରାହୀ । ସେ ଘରକୁ ଫେରି ସ୍ତ୍ରୀଙ୍କ ସହିତ ଏ ନେଇ ଆଲୋଚନା କରିଥିଲେ । ଏହା ପରେ ଘର ବାହାରକୁ ଚାଲିଯାଇଥିଲେ । ବାହାରେ ଥିବାବେଳେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ପରିବାର ଲୋକ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି କହିଛନ୍ତି ।
ଯାହାର ଖବର ପାଇବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ଫସଲ କ୍ଷତି ଦେଖି ଭାବଗ୍ରାହୀଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଭାବଗ୍ରାହୀଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି l ତେବେ ଖବର ଲେଖାଯିବା ବେଳକୁ କୌଣସି କୃଷି ଅଧିକାରୀ ସନ୍ଥପଡ଼ା ଗ୍ରାମରେ ପହଁଚି ନ ଥିବା ସୂଚନା ମିଳିଛି ।