ଢେଙ୍କାନାଳ: ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗାଁ ନିକଟସ୍ଥ ପଥରଖଣି ରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ସମୟରେ ଖଣିର ମାଟି ଓ ପଥର ଅତଡା ଖସି ଯିବାରୁ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ମୋଟଙ୍ଗା ପୋଲିସ ଓ ଓଡାପଡା ତହସିଲଦାର । ରାତି ହୋଇଯିବାରୁ ଘଟଣାରେ ମୃତାହତଙ୍କ ସମ୍ପର୍କରେ ଅନୁସନ୍ଧାନ କରିବାରେ ସକ୍ଷମ ହୋଇ ପାରିନଥିଲା ପୋଲିସ କିମ୍ବା ପ୍ରଶାସନ ।
ବର୍ତ୍ତମାନ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଢେ଼ଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ହିନ୍ଦୋଳ ଉପଜିଲ୍ଲାପାଳ, ଓଡାପଡା ତହସିଲଦାର, ମୋଟଙ୍ଗା ପୁଲିସ ପହଞ୍ଚି ଖଣି ମଧ୍ୟରେ ନିରୀକ୍ଷଣ କରିବା ସହିତ ତଦନ୍ତ ଆରମ୍ଭ ଜାରି ରଖିଛନ୍ତି। ତେବେ ସମ୍ପୃକ୍ତ ଖଣିଟି ର ଲିଜ ୨୦୨୫ ମସିହା ଡିସେମ୍ବର ମାସରୁ ଶେଷ ହୋଇଥିବା ବେଳେ ବ୍ଲାଷ୍ଟିଙ୍ଗ ଅନୁମତି ୨୦୨୪ ମସିହା ଅଗଷ୍ଟ ମାସରୁ ଶେଷ ହୋଇଛି। ତେବେ ଖଣିଟି ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲି ଆସୁଥିଲା।ଯାହାକୁ ନେଇ ଖଣି ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ,ଓଡ୍ରାଫ ଟିମ, ଦୁଇଟି ପିସି ମେସିନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ପଥର ଗୁଡିକ ସଫା କରିବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ। ଏ ନେଇ ଜୋରଦାର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।