ଲାଞ୍ଚ ନେଇ ଧରାପଡ଼ିଲେ ଥାନା ବାବୁ। ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଥାନା ବାବୁ ବିଜୟ କୁମାର ବାରିକ। ଚଢ଼ାଉ ବେଳେ ଘରୁ ମିଳିଛି ନଗଦ ୫ ଲକ୍ଷ ଟଙ୍କା। ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଆଜି ଅର୍ଥାତ୍ ଜାନୁଆରି ୪ ତାରିଖରେ କଟକର ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଭୁବନେଶ୍ୱରର ରାଜମହଲ ଛକରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଅଭିଯୁକ୍ତ ଶ୍ରୀ ବାରିକଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ବାରିକଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ଅଭିଯୁକ୍ତ ବିଜୟ ବାରିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ଭୁବନେଶ୍ୱରର ୟୁନିଟ୍ ୧ ସ୍ଥିତ ବିଜୟ କୁମାର ବାରିକଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ଟଙ୍କା ଜବତ ହୋଇଛି। ଲାଞ୍ଚ ଦାବି ଏବଂ ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଅଧିକ ପଢନ୍ତୁ: ସତ୍ୟ ଓ ଧର୍ମର ହେଲା ଜୟ : କଂସ ଅତ୍ୟାଚାରରୁ ମିଳିଲା ମୁକ୍ତି