ଭୁବନେଶ୍ୱର: ଆମ ବସ୍ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯାଜପୁର ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଶନିବାର ରୂପାଲି ଛକରେ ଆମ ବସ ଧକ୍କାରେ ବିଷ୍ଣୁଙ୍କ ଜୀବନ ଯାଇଥିଲା। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।ଏ ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କ ଆଶୁ ଆରୋଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
'ଆମ ବସ' ପରିବହନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆମ ବସ ପରିଚାଳନା ସଂସ୍ଥା କ୍ରୁଟ ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଆମ ବସ୍ ଡ଼୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଛନ୍ତି। ଏଥିପାଇଁ ନିୟମିତ ଟ୍ରେନିଂ ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନିଂ ପ୍ରକ୍ରିୟାରେ ଡ଼୍ରାଇଭର ମାନଙ୍କ ଦକ୍ଷତା ସହ ସେମାନଙ୍କ ଶାରିରୀକ ଓ ମାନସିକ ସ୍ଵାସ୍ଥ୍ୟ ସଂପର୍କରେ ମଧ୍ୟ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଅଧିକ ପଢନ୍ତୁ: ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ; ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ କଡ଼ା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ