ବରଗଡ଼: ସତ୍ୟ ଓ ଧର୍ମର ହେଲା ଜୟ। କଂସ ଅତ୍ୟାଚାରରୁ ମୁକ୍ତି ପାଇଲେ ମଥୁରାବାସୀ। କୃଷ୍ଣଙ୍କ ହାତରେ କଂସଙ୍କ ବଧ ହେବା ପରେ ଶେଷ ହେଲା ୧୧ ଦିନ ଧରି ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଆଗାମୀ ଦିନରେ ଧନୁଯାତ୍ରା ମହୋତ୍ସବ ଆହୁରି ଉନ୍ନତ ଧରଣର ହେବ ବୋଲି ଆଶା କରିବା ସହ ଏହି ମାଟିରେ କାର୍ଯ୍ୟ କରି ନିଜକୁ ଗର୍ବିତ ବୋଲି ବରଗଡ଼ ଜିଲ୍ଳାପାଳ ଆଦିତ୍ୟ ଗୋଏଲ ଏବଂ ଏସପି ପ୍ରହଲ୍ଲାଦ ସହାଇ ମୀନା କହିଛନ୍ତି ।
ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ଦୀର୍ଘ ୭୮ ବର୍ଷ ଧରି ଆୟୋଜନ ହୋଇଆସୁଥିବା ଧନୁଯାତ୍ରା କେବଳ ଯାତ୍ରା ନୁହଁ। ଯାତ୍ରା ମାଧ୍ୟମରେ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଳକ ଦେଖିବାକୁ ମିଳେ। ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି, ଅତ୍ୟାଚାରକୁ ଦୂର କରି ଧର୍ମର ସ୍ଥାପନା କରିବା ଥିଲା ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ। ୨୪ ଡିସେମ୍ବର ୨୦୨୫ ରୁ ଆରମ୍ଭ ହୋଇଥିବା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶନିବାର ବିଳମ୍ବିତ ରାତିରେ ସମାପ୍ତ ହୋଇଛି। ଏହାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରି ମହାରାଜ କଂସ ଡାକିଥିବା ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଥିଲେ।
ମହାରାଜ କଂସଙ୍କ ଆଦେଶ ଅନୁଯାୟୀ ରଂଗମହଲର ସମସ୍ତ ଦ୍ବାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା। ଶିବ ଧନୁ ଭଗ୍ନ ପରେ ପ୍ରଥମ ଦ୍ବାରରେ ଥିଲା କୁବଳୟା ହସ୍ତୀ, କୁବଳୟା ହସ୍ତୀ ବଧ କଲା ପରେ କୃଷ୍ଣ ବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସଙ୍କୁ ବଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତି ଦେଇଛନ୍ତି। ତେବେ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଜନ ସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଉଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ ତାହା ପ୍ରମାଣିତ ହୋଇଛି।
ଅଧିକ ପଢନ୍ତୁ : ଶୀତୁଆ ସକାଳରେ ରାଜଧାନୀରେ ଜମୁଛି ପଥ ଉତ୍ସବ