ନୂଆବର୍ଷର ପ୍ରଥମ ରବିବାରରେ ୨ଟି ସ୍ଥାନରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଓଡିଶା ଆନ୍ଧ୍ର ସୀମା ପଲାସା ନିକଟ ବାରୁଆ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିl ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କାରକୁ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିବା ସୂଚନା ମିଳିଛି l ଦୁର୍ଘଟଣା ଅପରାହ୍ନ ୫ଟାରେ ହୋଇଥିବା ଜଣାପଡିଛିl ଦୁର୍ଘଟଣା ସ୍ଥଳରେ ୩ ମୃତ୍ୟୁ ବରଣ କରିଥିବା ବେଳେ ଡ୍ରାଇଭର ସମେତ ଦୁଇ ଗୁରୁତର ହୋଇଛନ୍ତି l ଆହତମାନଙ୍କୁ ତୁରନ୍ତ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି l
ସୂଚନା ଅନୁସାରେ ଭୁବନେଶ୍ବରର ଗୋଟିଏ ପରିବାରର ସଦସ୍ୟ କାରରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ ସେମାନେ ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଏହି ସମୟରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଡେଇଁ ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ସମସ୍ତେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି, କାରରେ ରହିଛି ବାଲେଶ୍ବର ଆରଟିଓ ନମ୍ବରl
ସେହିପରି ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ NH-55 ନକ୍ସପାଲି ନିକଟରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛରେ ଏକ କାର୍ ପିଟି ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନ ମୁତାବିକ, ଏକ ପାଉଁଶ ବେଝେଇ ହାଇୱା(ଓଡି-୧୫-ୟୁ-୯୧୦୪) ଧନୁପାଲି ଥାନା ଅନ୍ତର୍ଗତ ନକ୍ଲାପାଲି ନକଟରେ ଜାତୀୟ ରାଜପଥ(୫୫) କଡ଼ରେ ଛିଡ଼ା ହୋଇଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ସମ୍ବଲପୁର ପଟୁ ଦୃତ ଗତିରେ ଆସି ଏକ କାର(ଓଡି-୧୪-ୟୁ-୮୧୦୩) ଉକ୍ତ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିଲା। ତୁରନ୍ତ ସ୍ଥାନୀୟ ଲୋକେ କାରରେ ଥିବା ଅନ୍ୟ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବୁର୍ଲା ଭିମ୍ସାରକୁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଅପରପକ୍ଷରେ ଚାଳକଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଛେଦ ପାଇଁ ପଠାଇଛି।
ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଯାନ୍ତ୍ରୀକ ତୃଟି ଯୋଗୁଁ ଅଚଳ ହୋଇ ପଡ଼ିଥିବା ହାଇୱାଟି ରାସ୍ତାକଡ଼ରେ ଦୀର୍ଘ ସମୟ ହେଲା ଛିଡ଼ା ହୋଇଥିଲା । ତେବେ ସମ୍ବଲପୁର ପଟୁ ଆସୁଥିବା ଉକ୍ତ କାରଟି ସମ୍ଭବତଃ ଦୃତଗତି ଯୋଗୁଁ ନିୟନ୍ତ୍ରଣ ହରାଇ ହାଇୱା ପଛପଟେ ପିଟି ହୋଇଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିଲା। ତେଣୁ ସେଥିରୁ ଆହତମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇ ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି କାରକୁ କାଟି ଚାଳକଙ୍କ ଶବ ଓ କାରରେ ଫସି ରହିଥିବା ୨ ଜଣ ଆରୋହୀଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଭିମ୍ସାରକୁ ନେଇଥିଲେ।
ଅଧିକ ପଢନ୍ତୁ: ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ: ସଚିବ କହିଲେ, ‘ସ୍କ୍ରିନିଂ ଟେଷ୍ଟ ପାସ୍ କଲା ପରେ ଡ୍ରାଇଭ୍ ପାଇଁ ମିଳିବ ଅନୁମତି