ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ସାତ ଅଭିଯୁକ୍ତଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । କିନ୍ତୁ ଦୁଇ ଅଭିଯୁକ୍ତ ଶରଜିଲ ଇମାମ ଓ ଉମର ଖାଲିଦଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ଆଶ୍ୱସ୍ତି ଦେଇ ନାହାନ୍ତି । କୋର୍ଟ କହିଛନ୍ତି, ଆମେ ସବୁ ମାମଲାକୁ ଅଲଗା ଅଲଗା ପରୀକ୍ଷଣ କରିଛୁ । ପୋଲିସ ତରଫରୁ ସଂଗୃହୀତ ତଥ୍ୟ ମୁତାବକ ଉମର ଖାଲିଦ ଓ ଶରଜିଲ ଇମାମଙ୍କ ଭୂମିକା ସନ୍ଦିଗ୍ଧ ରହିଛି । ଉଭୟଙ୍କୁ ଲମ୍ବା ସମୟରୁ ଜେଲ୍ ରହିବା ଆଧାରରେ ଜାମିନ ମିଳି ପାରିବ ନାହିଁ । କିନ୍ତୁ କୋର୍ଟ କହିଛନ୍ତି ଯେ, ଉଭୟ ପରବର୍ତ୍ତୀ ସମୟରେ ଟ୍ରାଏଲ କୋର୍ଟରେ ଜାମିନ ପାଇଁ ଅପିଲ୍ କରି ପାରିବେ ।
ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ଏନଭି ଅଞ୍ଜାରିୟାଙ୍କ ପୀଠ ସୋମବାର କହିଛନ୍ତି ସମ୍ବିଧାନର ଅନୁଚ୍ଛେଦ ୨୧(ଜୀବନର ଅଧିକାର) ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ଅଧିକାରର ଦୁରୁପଯୋଗ ଗ୍ରହଣନୀୟ ନୁହେଁ । କୋର୍ଟ ଅନ୍ୟ ଅଭିଯୁକ୍ତ ଗୁଲଫିଶା ଫାତିମା, ମୀରନ ହାଇଦର, ଶିଫା ଓରଫ ରେହମାନ, ଶହଦାବ ଅହମ୍ମଦ ଓ ମହମ୍ମଦ ସଲୀମଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
କୋର୍ଟ ଦିଲ୍ଲୀ ପୋଲିସର ପ୍ରମାଣକୁ ଆଧାର କରି ସ୍ୱୀକାର କରିଛନ୍ତି ଯେ, ଉମର ଖାଲିଦ ଓ ଶରଜିଲ ଇମାମଙ୍କ ଭୂମିକା ଅନ୍ୟ ଅଭିଯୁକ୍ତଙ୍କଠୁ ଗମ୍ଭୀର ରହିଛି । ରେକର୍ଡକୁ ଦେଖିଲେ ସମସ୍ତ ଅଭିଯୁକ୍ତଙ୍କ ଭୁମିକା ସମାନ ନୁହେଁ । କିନ୍ତୁ ମୁଖ୍ୟ ସାକ୍ଷୀଙ୍କ ସଂପୂର୍ଣ୍ଣ ବୟାନ ରେକର୍ଡ ପରେ କିମ୍ବା ଏହି ଆଦେଶର ଗୋଟିଏ ବର୍ଷ ପରେ ଶରଜିଲ ଓ ଉମର ଖାଲିଦ ଜାମିନ ପାଇଁ ଆବେଦନ କରି ପାରିବେ ।
ଖଣ୍ଡପୀଠ କହିଛନ୍ତି, "ଆମକୁ ଯାଞ୍ଚ କରିବାକୁ ପଡିବ ଯେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗ ଦୃଢ଼ କି ନାହିଁ। ଆମକୁ ସମସ୍ତ ଅଭିଯୁକ୍ତଙ୍କ ଭୂମିକା ସମ୍ପର୍କରେ ଉପସ୍ଥାପିତ ତଥ୍ୟଗୁଡ଼ିକୁ ମଧ୍ୟ ବିଚାର କରିବାକୁ ପଡିବ।" ଏହା ଆହୁରି ମଧ୍ୟ କହିଛି ଯେ ସଂସଦ UAPAର ଧାରା 15 (ଆତଙ୍କବାଦୀ କାର୍ଯ୍ୟକଳାପ)ର ପରିଭାଷାକୁ ବୋମା ବିସ୍ଫୋରଣ ଏବଂ ସଶସ୍ତ୍ର ହିଂସା ପର୍ଯ୍ୟନ୍ତ ସୀମିତ କରିନାହିଁ। ଏହାର ପରିସର ବ୍ୟାପକ।