ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମଙ୍ଗଳବାର ଅଚାନକ ସ୍ୱାସ୍ଥ୍ୟ ବିଗିଡିଛି । ତାଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିଟିଆଇ ଅନୁଯାୟୀ, ମଙ୍ଗଳବାର ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ସମୟରୁ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ଥିଲା । ହସ୍ପିଟାଲରେ ଡାକ୍ତରଙ୍କ ସ୍ୱତନ୍ତ୍ର ଦଳ ତାଙ୍କ ଉପରେ ନଜର ରଖିଛନ୍ତି ।
ଛାତି ଯନ୍ତ୍ରଣା ସମ୍ବନ୍ଧିତ ବିଶେଷଜ୍ଞ ଡାକ୍ତରଙ୍କ ତତ୍ୱାବଧାନରେ ସୋନିଆଙ୍କୁ ରଖାଯାଇଥିବା ଜଣା ପଡିଛି । ତେବେ ଏ ପର୍ଯ୍ୟନ୍ତ କଂଗ୍ରେସ ପାର୍ଟି କିମ୍ବା ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କୌଣସି ବୟାନ ଜାରି କରାଯାଇ ନାହିଁ । ୨୦୨୫ ଡିସେମ୍ବର ୯ରେ ସୋନିଆ ଗାନ୍ଧୀଙ୍କୁ ୭୯ ବର୍ଷ ପୂରିଥିଲା । ସେ ଦୀର୍ଘ ସମୟ ଧରି କାଶଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଏହି କାରଣରୁ ସେ ନିୟମିତ ମେଡିକାଲ୍ ଚେକିଂ ପାଇଁ ଆସିଥାନ୍ତି । ବିଶେଷ କରି ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିଯାଏ ।
ସୋନିଆ ଗାନ୍ଧୀ ଗତ ଅନେକ ବର୍ଷରୁ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ଦେଇ ଗତି କରୁଛନ୍ତି । ତାଙ୍କୁ ନିୟମିତ ବ୍ୟବଧାନରେ ମେଡିକାଲ୍ ଚେକ୍ ଅପ୍ ଏବଂ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଏ । ବର୍ତ୍ତମାନ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଲେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇପାରେ ।
ଏହା ପୂର୍ବରୁ ୨୦୨୫ ଜୁନ ୧୫ରେ ସୋନିଆଙ୍କୁ ପେଟଜନିତ ସମସ୍ୟା କାରଣରୁ ସାର ଗଙ୍ଗାରାମ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କୁ ୩ରୁ ୪ ଦିନ ରଖା ଯାଇଥିଲା । ଏହା ପୂର୍ବରୁ ଏମିତି ଅନେକ ଥର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ।