ନୂଆଦିଲ୍ଲୀ: ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରିବା ନେଇ ରକ୍ତ ଚାଉଳ ଚୋବାଉଛି ବାଂଲାଦେଶ । ତେଣୁ ବାଂଲାଦେଶ ଦଳ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତ ନ ଆସିବାକୁ ନିଷ୍ପତ୍ତି ନେଇଛି । ଏଥିସହ ସେଠାକାର ସରକାର ନିଜ ଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇଛି । ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଏବଂ ଭାରତୀୟଙ୍କ ଭାବନାକୁ ଦୃଷ୍ଟିରେ ରଖି ବିସିସିଆଇ ଓ କେକେଆର ଫ୍ରାଞ୍ଚାଇଜ ରେହମାନଙ୍କୁ ଦଳରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ସବୁ ଘଟଣାକ୍ରମ ଉପରେ ଜବାବ ଦେଇଛନ୍ତି ପୂର୍ବତନ ତାରକା ଭାରତୀୟ ସ୍ପିନର ହରଭଜନ ସିଂ ।
ସେ କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଯାହା ଘଟୁଛି ତାହା ଭୁଲ୍ । ଆମେ ଭାରତରେ ସମସ୍ତଙ୍କ ସ୍ୱାଗତ କରିବୁ । ଯଦି ବାଂଲାଦେଶ ଭାରତ ଆସିବାକୁ ଚାହୁଁନି ତାହା ତାର ଇଚ୍ଛା । ଗତ କିଛି ଦିନରେ ଅଲଗା ଅଲଗା ଘଟଣା କାରଣରୁ ବାଂଲାଦେଶ ଭାରତ ଆସିବାକୁ ଚାହୁଁନି । ଆଇସିସିକୁ ପଡୋଶୀ ଦେଶର ଅନୁରୋଧ ଉପରେ ନିଷ୍ପତ୍ତି ନେବା ଉଚିତ୍ । କିନ୍ତୁ ଭାରତରେ ଆମେ ସମସ୍ତଙ୍କ ସ୍ୱାଗତ କରିବାକୁ ପ୍ରସ୍ତୁତ । ଯାହାର ଆସିବାର ଇଚ୍ଛା ଆସିବେ, ଯାହାର ନାହିଁ ଆସିବେନି ।
ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ୍ ୨୦୨୬ ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି । ବାଂଲାଦେଶ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜର ଦଳ ଘୋଷଣା କରି ସାରିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଦଳର ତିନୋଟି ଲିଗ୍ ମ୍ୟାଚ୍ କୋଲକାତାରେ ଏବଂ ଗୋଟିଏ ମୁକାବିଲା ମୁମ୍ବାଇରେ ଖେଳାଯିବାର ଅଛି । କିନ୍ତୁ ଏବେ ବିସିବିର ଅନୁରୋଧକ୍ରମେ ବିସିସିଆଇ ଏବେ ନୂଆ କ୍ରୀଡାସୂଚୀ ଉପରେ କାମ କରୁଛି ।
ଉଲ୍ଲେଖନୀୟ ନିଜ ଦେଶର ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରାଯିବା ପରେ ବାଂଲାଦେଶ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇ ଚାଲିଛି । ପ୍ରଥମେ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତ ନ ଯିବାକୁ ଆଇସିସିକୁ ଚିଠି ଲେଖି ସାରିବା ପରେ ଏବେ ଆଉ ଏକ ବଡ ନିଷ୍ପତ୍ତି ନେଇଛି ଏହି ପଡୋଶୀ ଦେଶ । ବାଂଲାଦେଶରେ ଆଇପିଏଲର ପ୍ରସାରଣ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇଛି ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଓ ସେଠାକାର କ୍ରିକେଟ୍ ବୋର୍ଡ ।
Also read: ପ୍ରଥମେ ଟି-୨୦ ପାଇଁ ଭାରତ ନ ଯିବାକୁ ନିଷ୍ପତ୍ତି, ଏବେ ଆଇପିଏଲ ଉପେ ରୋକ୍ ଲଗାଇଲା ବାଂଲାଦେଶ