ନୂଆଦିଲ୍ଲୀ: ନିଜ ଦେଶର ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରାଯିବା ପରେ ବାଂଲାଦେଶ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇ ଚାଲିଛି । ପ୍ରଥମେ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତ ନ ଯିବାକୁ ଆଇସିସିକୁ ଚିଠି ଲେଖି ସାରିବା ପରେ ଏବେ ଆଉ ଏକ ବଡ ନିଷ୍ପତ୍ତି ନେଇଛି ଏହି ପଡୋଶୀ ଦେଶ । ବାଂଲାଦେଶରେ ଆଇପିଏଲର ପ୍ରସାରଣ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇଛି ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଓ ସେଠାକାର କ୍ରିକେଟ୍ ବୋର୍ଡ ।
ସଦ୍ୟତମ ସୂଚନା ଅନୁଯାୟୀ, ଅଧିକାରୀ ଆଇପିଏଲ୍ ସହ ଜଡିତ ବ୍ରଡକାଷ୍ଟ, ପ୍ରମୋଶନ, ଇଭେଣ୍ଟ କଭରଜେକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସସପେଣ୍ଡ କରିଛନ୍ତି । ବାଂଲାଦେଶ କ୍ରିକେଟ୍ ବୋର୍ଡର ଅଧିକାରୀଙ୍କ କହିବା କଥା ଏହି ନିଷ୍ପତ୍ତି ଦେଶବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଆଯାଇଛି । ଏହା ପୂର୍ବରୁ କେକେଆର ବିସିସିଆଇର ନିର୍ଦ୍ଦେଶକ୍ରମେ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ନିଜ ଦଳରୁ ରିଲିଜ୍ କରିଥିଲା ।
ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ପ୍ରତି ଜାରି ଅତ୍ୟାଚାର ଚାଲିଥିବା ସମୟରେ ଦଳରେ ମୁସ୍ତାଫିଜୁର ରେହମାନଙ୍କୁ ରଖିବା ନେଇ ଭାରତରେ ପ୍ରବଳ ବିରୋଧ ହୋଇଥିଲା । ଫଳରେ କେକେଆରକୁ ବାଂଲାଦେଶ ଖେଳାଳି ରେହମାନଙ୍କୁ ରିଲିଜ୍ କରିବାକୁ ପଡିଛି । ବାଂଲାଦେଶର ଅଧିକାରୀଙ୍କ କହିବା କଥା ବିସିସିଆଇର ଏମିତି ନିଷ୍ପତ୍ତି ପଛରେ କୌଣସି ତର୍କ ହିଁ ନାହିଁ ।
ଏହା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି) ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୬ ଖେଳିବା ପାଇଁ ଭାରତ ନ ଯିବାକୁ ନିଷ୍ପତ୍ତି ନେଇଛି । ଦଳର ମ୍ୟାଚଗୁଡିକୁ ଭାରତରୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଚିଠି ଲେଖି ଦାବି କରିଛି ବିସିବି । ଭାରତରେ ନିଜ ଖେଳାଳିଙ୍କ ନିରାପଦ ଓ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା କହିଛି । ରେହମାନଙ୍କୁ ଅଚାନକ ଆଇପିଏଲରୁ ବାହାର କରାଯିବା ପରେ ବିସିବି ଶନିବାର ରାତିରେ ଏକ ଜରୁରୀକାଳୀଣ ବୈଠକ ଡକାଇଥିଲା। ଏହି ବୈଠକରେ ବିଶ୍ୱକପ୍ ଖେଳିବା ପାଇଁ ଭାରତ ନ ଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
Also read: ଆଉ ଏକ ଶତକ ହାସଲ କରି ରିକି ପଣ୍ଟିଂଙ୍କ ରେକର୍ଡର ସମକକ୍ଷ ହେଲେ ଜୋ ରୁଟ୍