ଭୁବନେଶ୍ୱର: ବୁଧବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସ୍ୱାମୀ ଦେବେନ୍ଦ୍ର ଦାସ ଏବଂ ନିଜର ସମର୍ଥକଙ୍କ ସହିତ ସାମିଲ ହୋଇଛନ୍ତି ସୁନନ୍ଦା । ଦଳର ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ଏହା ଆହୁରି ଶତାଧିକ ବିଜେଡ଼ି କର୍ମୀ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି ।
ଅନ୍ୟପଟେ ଆଜି ଜଗତସିଂହପୁର, ଭଦ୍ରକ, ନୟାଗଡ, କଟକ ଓ ଯାଜପୁର ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତରର ନେତା ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଟକ ଅର୍ବାନ ବ୍ୟାଙ୍କ ନିର୍ଦେଶକ ଧର୍ମେଷ ନାୟକ ଓ ତାଙ୍କ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ଭଦ୍ରକ ବାସୁଦେବପୁରର ବିଜେଡି ଯୁବ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଅସିତ ଦାସଙ୍କ ସମେତ ଏକାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ନିର୍ବାଚନ ବେଳେ ଦଳ ଛାଡିଥିବା ସାନଖେମୁଣ୍ଡିର ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନେକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ନୟାଗଡ ଭାପୁରର ଯୁବ ନେତା ବିଭୁତି ପଟ୍ଟନାୟକ ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି |
ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଗତ ଅକ୍ଟୋବର ୨୯ ତାରିଖରେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ଦଳର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କହିଥିଲେ । ଦଳରେ ଆଉ ନବୀନ ପଟ୍ଟନାୟକଙ୍କର କିଛି ଭୂମିକା ନାହିଁ ବୋଲି କହିଥିଲେ । ନେତାମାନଙ୍କୁ ଅଣଦେଖା କରାଯିବାରୁ ବିଜେଡି ଏଥର ନିର୍ବାଚନ ହାରିଲା ।
ଟିକେଟ୍ ବଣ୍ଟା ଯିବା ସମୟରେ ମଧ୍ୟ ନେତାଙ୍କ ମତାମତ ନିଆଗଲା ନାହିଁ । ମୋ ଟିକେଟ୍ କଟିବା ପରେ ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି । ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି । ମନମୁଖି ଶାସନ ପାଇଁ ଆଜି ବିଜେଡି ଏହି ଅବସ୍ଥା ଭୋଗୁଛି । ନବୀନ ବାବୁ ଯଦି ନିଜେ ଟିକେଟ୍ ବାଣ୍ଟିଥାନ୍ତେ ତେବେ ବିଜେଡ଼ି ପୁଣି ସରକାର କରିଥାନ୍ତା ବୋଲି ସେ କହିଥିଲେ ।