ପାଟନା: ଭାରତୀୟ ନିର୍ବାଚନ ଆୟୋଗ ବିହାର ନିର୍ବାଚନ ପୂର୍ବରୁ ଚୂଡ଼ାନ୍ତ ଭୋଟର୍ ତାଲିକା ଜାରି କରିଛନ୍ତି । ଏସଆଇଆର୍ ପରେ ଭୋଟର ତାଲିକା ପ୍ରକାଶ ପାଇଛି । ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଭୋଟର ତାଲିକା ଉପଲବ୍ଧ ହୋଇଛି ।
ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ସେପ୍ଟେମ୍ବର ୩୦ ତାରିଖରେ ଚୂଡ଼ାନ୍ତ ମତଦାତାଙ୍କୁ ତାଲିକା ପ୍ରକାଶ ପାଇଛି । କେହି ମତାଦାତା ନିର୍ବାଚନ ଆୟୋଗଙ୍କ ୱେବସାଇଟକୁ ଯାଇ ନିଜର ନାମ ଦେଖି ପାରିବେ । ବିହାରରେ ୭ କୋଟି ୨୪ ଲକ୍ଷ ମତଦାତା ଅଛନ୍ତି । ୧୬ ଲକ୍ଷା ୫୮ ହଜାର ୮୮୬ ଜଣ ଫର୍ମ-୬ ପୂରଣ କରି ଦାଖଲ କରିଥିଲେ ।
ଅକ୍ଟୋବର ୬ ତାରିଖ ପରେ ନିର୍ବାଚନ ଆୟୋଗ ବିହାର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ୩୬, ୪୭୫ ଜଣ ଭୋଟର ତାଲିକାରେ ନାଁ ସାମିଲ କରିବାକୁ ଆବେଦନ କରିଛନ୍ତି ଏବଂ ୨,୧୭,୦୪୯ ଜଣ ମତଦାତାଙ୍କ ନାଁ ହଟାଇବାକୁ ଆବେଦନ ହୋଇଥିଲା । ସେହିପରି ୩ ଲକ୍ଷ ମତଦାତା ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ନାହାଁନ୍ତି । ଯେଉଁମାନଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ ଜାରି କରାଯାଇ ଜବାବ ତଲବ କରାଯାଇଛି ।
ଏବେ ଖାଲି ଅପେକ୍ଷା ନିର୍ବାଚନ ତାରିଖ ଘୋଷଣା ସମୟକୁ । ଅକ୍ଟୋବର ୬ ତାରିଖ ପରେ କୌଣସି ବି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ନଭେମ୍ବର ୨୨ ତାରିଖରେ ନୀତିଶ ସରକାରଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି ।