ଭୁବନେଶ୍ୱର: ରାଜ୍ୟ ଡ୍ରାଇଭର ସଂଘର ଦୋମୁହାଁ ନୀତି ପଦାରେ ପଡ଼ିବା ପରେ ଏବେ ସଭାପତିଙ୍କ କଥା କେହି ଶୁଣୁ ନାହାଁନ୍ତି । ଆଜିଠାରୁ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିବାବେଳେ କେତେକ ସ୍ଥାନରେ ଅନ୍ୟାନ୍ୟ ଗାଡ଼ି ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି । ସେପଟେ ଏକାଠି ହୋଇ ରହିବା ସହିତ ଆନ୍ଦୋଳନ ଜାରି ରଖିବାକୁ କାନ୍ଦି କାନ୍ଦି ନେହୁରା ହୋଇଛନ୍ତି ସଭାପତି ପ୍ରଶାନ୍ତ ମେଣ୍ଡୁଲି ।
ଆଜି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କାନ୍ଦି କାନ୍ଦି ଏକ ଭିଡ଼ିଓ ଜାରି କରିଛନ୍ତି । ସେ ଭିଡ଼ିଓରେ କହିଛନ୍ତି ଯେ ଡ୍ରାଇଭରମାନେ ବିଚାର କରନ୍ତୁ, ଏ ସମୟ ଆଉ ମିଳିବ ନାହିଁ । ଯେଉଁମାନେ ମାଲିକଙ୍କ ଇଚ୍ଛାରେ ଯିବାକୁ ଚାହୁଛନ୍ତି, ଯାଇପାରିବେ । କିନ୍ତୁ ସେମାନଙ୍କର ଫଟୋ ଉଠା ହେବ । ସେମାନଙ୍କର ପଇସା ଫେରସ୍ତ କରାଯିବା ସହିତ ସଂଘରେ ଆଉ ସଦସ୍ୟ ହୋଇ ରହିବେ ନାହିଁ ।
ଡ୍ରାଇଭରମାନଙ୍କୁ ଧୈର୍ଯ୍ୟ ଧରି ଏକ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏତେ ଲାଗିବା ପରେ ଏବଂ ସରକାରଙ୍କ ସହିତ ଲଢ଼ିବା ପରେ ଏପରି ଅବସ୍ଥା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ଶେଷରେ “ଏକ୍ ରହଙ୍ଗେ ତୋ ସେଫ୍ ରହେଙ୍ଗେ” କହିଛନ୍ତି ମେଣ୍ଡୁଲି ।
ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାରଙ୍କ ମଧ୍ୟ ସଂଘର କିଛି ଦାବି ପୂରଣ ପାଇଁ ରାଜି ହୋଇଛନ୍ତି ଏବଂ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ମଧ୍ୟରେ କଂଗ୍ରେସର ଅପିଲ ପରେ ଡ୍ରାଇଭର ସଂଘ ଗତକାଲି ରାହୁଲ ଗାନ୍ଧୀଙ୍କ ସମାବେଶ ପାଇଁ କେବଳ କଂଗ୍ରେସ ଗାଡ଼ି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା । ଏହା ସହିତ ବିଭିନ୍ନ ସ୍ଥାନରେ ଯେଉଁମାନେ ଗାଡ଼ି ଚଲାଉଥିଲେ ତାଙ୍କୁ ମାଡ଼ ମରାଯିବାର ଖବର ମଧ୍ୟ ଆସିଥିଲା । ଯାହାକୁ ନେଇ ସଂଘ ଭିତରେ ଫାଟ ସୃଷ୍ଟି ହୋଇଥିଲା ।