ଡେଲାଙ୍ଗ: ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ । ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । H5N1 ଆଭିଏନ୍ ଇନ୍ଫ୍ଲୁଏଞ୍ଜା ଭାଇରସ୍ ପଜିଟିଭ୍ । ଡେଲାଙ୍ଗର ବଡ଼ା ଆଙ୍କୁଲା ଗାଁ ଭାଇରସର ଏପିସେଣ୍ଟର ବୋଲି ଜଣାପଡିଛି। ଏପିସେଣ୍ଟରର ଏକ କିଲୋମିଟର ମଧ୍ୟରେ ହେବ କଲିଂ ଏବଂ କେନ୍ଦ୍ରରୁ ୧୦ କି.ମି ମଧ୍ୟରେ ନଜର ରଖାଯିବ । ଏହାସହିତ ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ ରହିବ । ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରିଛନ୍ତି ।
ତେବେ ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି । ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସତ୍ୟବାଦୀ, ନିମାପଡ଼ା ଓ ଡେଲାଙ୍ଗକୁ ଡେଉଁଛି ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବାରୁ RRT ଟିମ୍ ପକ୍ଷରୁ ହଜାର ହଜାର କୁକୁଡାଙ୍କୁ ମାରି ଖାଲ କରି ପୋତି ଦିଆଯାଉଛି । ଏଥିସହ ଫାର୍ମ ସ୍ଥଳରେ ବ୍ଲିଚିଂ ପକାଇ ସାନିଟାଇଜ୍ କରାଯାଉଛି ।
ସୂଚନା ଅନୁସାରେ ଦୁଇ ଦିନ ତଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ଯେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମାରିଥିଲେ । ଭେଟେରିନାରୀ ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।