ଭୁବନେଶ୍ୱର: ରାଜ୍ୟ ବାସୀଙ୍କ ପାଇଁ ଆଶ୍ୱସ୍ଥିର ଖବର । ଦୀର୍ଘ ୪ ଦିନ ପରେ ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଆଜି ଗନ୍ତବ୍ୟ ସ୍ଥଳକୁ ଗଡିଛି ବସ୍ । ୭ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ଗଡୁନଥିଲା ବସ୍ । ହେଲେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବସ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲେ ଘରୋଇ ବସ ମାଲିକ ସଂଘ । ଗତକାଲି ଘରୋଇ ବସ୍ ମାଲିକ ସଙ୍ଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ବସ ଚଳାଚଳ ସମୟରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି ।
ସୂଚନା ଅନୁସାରେ, ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୪ ଦିନ ଧରି ଯାତ୍ରୀ ପରିବହନ ଠପ ହୋଇ ଯାଇଥିଲା । ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ୍ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସେପଟେ ୪ ଦିନ ହେବ ରାଜ୍ୟରେ ଗାଡି ଚଳାଚଳ ରହିଥିବାବେଳେ ଆଜି ରାଜ୍ୟର କିଛି ସ୍ଥାନରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିବାରୁ ଗମନାଗମନ ସ୍ୱାଭାବିକ ହୋଇପାରିଛି ।