ଭୁବନେଶ୍ୱର: ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟାକାଣ୍ଡର ଶବ ବ୍ୟବଛେଦ ରିପୋର୍ଟ ଆସିଛି। ତଦନ୍ତକାରୀ ଅଧିକାରୀଙ୍କୁ ଏଫ୍ଏମ୍ଟି ବିଭାଗ ରିପୋର୍ଟ ଦେଇଛି। ଏଥିରେ ପ୍ରବଳ ରକ୍ତସ୍ରାବ, ଛାନିଆ ଓ ଆଭ୍ୟନ୍ତରୀଣ ଆଘାତ ମୃତ୍ୟୁର କାରଣ ବୋଲି ଉଲ୍ଲେଖ କରାଯାଇଛି। ତେବେ ଦୁଇରୁ ଅଢେଇ ମିଟର ରେଞ୍ଜରୁ ଏହି ଗୁଳିମାଡ଼ ହୋଇଛି। ଏଥିରେ ଶରୀରରୁ ପ୍ରାୟ ୪ଲିଟର ରକ୍ତ ବହିଛି। ଗୁଳିମାଡ଼ରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଟିସ୍ୟୁ ନଷ୍ଟ ହୋଇଯାଇଥିବା ରିପୋର୍ଟରେ କୁହାଯାଇଛି।
ଏପର୍ଯ୍ୟନ୍ତ ଏହି ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା କରାଯାଇଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି। ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରାଯାଉଛି। ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ ଜେରା କରାଗଲାଣି। ଗୁଳିକୁ ବାଲିଷ୍ଟିକ୍ ଏକ୍ସପର୍ଟଙ୍କ ନିକଟକୁ ପଠାଇଥିଲା। ସିସିଟିଭି ଦ୍ୱାରା ବହୁତ ସୁରାକ ମଧ୍ୟ ପୋଲିସକୁ ମିଳିଛି। ଖୁବ୍ଶୀଘ୍ର ହତ୍ୟା ରହସ୍ୟ ଉନ୍ମୋଚିତ ହେବ ବୋଲି ଆଶା କରୁଥିବା ଏସ୍ପି କହିଛନ୍ତି।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ଅଞ୍ଚଳରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ, ରାଜ୍ୟ ବାର୍ କାଉନ୍ସିଲ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ପଏଣ୍ଟ୍ ବ୍ଲାଙ୍କ୍ରୁ ଗୁଳି କରି ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହାପଛରେ ସୁପାରିଂ କିଲିଂ ରହିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତକୁ ତ୍ବରାନ୍ବିତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ରାଜ୍ୟବ୍ୟାପୀ ଆଇନଜୀବୀମାନେ ଆନ୍ଦୋଳନ କରିଛନ୍ତି। ଏହି ମାମଲାକୁ ସରକାର ମଧ୍ୟ ଗୁରୁତ୍ବର ସହିତ ନେଇଛନ୍ତି।