କଟକ: ଆଗକୁ ଆସୁଛି ପାର୍ବଣ ଋତୁ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଣିକି ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା । ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ । ଏନେଇ କଟକ ଶାରଳା ଭବନରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ ।
ଅଗଷ୍ଟ ୩୧, ସେପ୍ଟେମ୍ବର ୭ ଏବଂ୧୪ତାରିଖରେ ସହରରେ ଗଣେଶ ପୂଜା ଭସାଣି କରାଯିବ । ବୁଢା ଗଣେଶଙ୍କ ଭଷାଣି ଅନ୍ୟ ଦିନରେ କରାଯିବ । ଚଳିତ ବର୍ଷ ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାସକଙ୍କ ପୂଜା ଆୟୋଜିତ ହେବ । ଭସାଣ ଉତ୍ସବକୁ ୩ଟି ପର୍ଯ୍ୟାୟରେ କରିବା ପାଇଁ କମିଶନରେଟ୍ ପୋଲିସ୍ ଓ ମହାନଗର ନିଗମ ନିଷ୍ପତ୍ତି ନେଇଛନ୍ତି ।
ତେବେ ପୂଜା ପୂର୍ବରୁ ସହରର ରାସ୍ତା ଘାଟ,ଷ୍ଟ୍ରିଟ୍ ଲାଇଟ, ପାନୀୟ ଜଳ ଯୋଗାଣ ଓ ଭସାଣି ପାଇଁ ଉନ୍ନତ ମାନର କୃତ୍ରିମ ପୁଷ୍କରିଣୀ ବ୍ୟବସ୍ଥା କରିବା ପାଇଁ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ସିଏମସିକୁ ପରାମର୍ଶ ଦିଆଯାଇଛି ।