ଭୁବନେଶ୍ୱର: ଉପକୂଳ ମୁହାଁ ହେଉଛି ବାତ୍ୟା ‘ଦାନା’ । ବାତ୍ୟାର ଟ୍ରାକରେ ସମାନ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଲ୍ୟାଣ୍ଡ ଫଲ୍ ପୂର୍ବ ସୂଚନା ଅନୁଯାୟୀ ଗୁରୁବାର ମଧ୍ୟ ରାତ୍ର ଏବଂ ଶୁକ୍ରବାର ଭୋର ମଧ୍ୟରେ ଭିତରକନିକା ଏବଂ ଧାମରା ମଧ୍ୟରେ ରହିବ । ମାତ୍ର ସ୍ଥଳ ଭାଗ ଛୁଇଁବା ପରେ ଏହା ସାମାନ୍ୟଭାବେ ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ଓଡ଼ିଶା ମୁହାଁ ହେବ । ଫଳରେ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସଦ୍ୟତମ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଗୁରୁବାର ସକାଳ ୯ଟା ସମୟରେ ପାଣିପାଗ ନିର୍ଦ୍ଦେଶିକା ଦେଇଥିବା ସୂଚନା ମୁତାବକ, ଦାନାର କେନ୍ଦ୍ରସ୍ଥଳ ପାରାଦୀପଠାରୁ ୨୬୦ କିମି ଦୂରରେ ଦକ୍ଷିଣ-ପୂର୍ବ ଦିଗ, ଧାମରାରୁ ୨୯୦ କିମି ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ପଶ୍ଚିମବଙ୍ଗର ସାଗର ଦୀପ ଠାରୁ ୩୫୦ କିମି ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ଏହା ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ମଧ୍ୟ ରାତ୍ର ଏବଂ ଆସନ୍ତାକାଲି ଭୋର ସମୟ ମଧ୍ୟରେ ଭିତରକନିକା ଏବଂ ଧାମରାରେ ଦାନା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଚା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ଓ ଝଟକା ପବନର ବେଗ ୧୨୦ କିଲୋମିଟର ରହିବ ବୋଲି ଶ୍ରୀମତି ମହାନ୍ତି କହିଛନ୍ତି । ସ୍ଥଳଭାଗ ଛୁଇଁବା ପରେ ଏହା ସାମାନ୍ୟ ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ଓଡ଼ିଶା ମୁହାଁ ହେବ । ଫଳରେ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ସେଥିପାଇଁ ଆସନ୍ତାକାଲି ପାଇଁ କେନ୍ଦୁଝରକୁ ରେଡ୍ ଆଲର୍ଟରେ ରଖାଯାଇଛି ।
ଅକ୍ଟୋବର ୨୪ ତାରିଖ (ଗୁରୁବାର) ପାଇଁ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଏବଂ ଯାଜପୁରକୁ ରେଡ୍ ଆଲର୍ଟରେ ରଖାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଏବଂ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଝାରସୁଗୁଡ଼ା ଏବଂ ସମ୍ବଲପୁର ୟେଲୋ ଆଲର୍ଟ ଜାରି କରାଯାଇଛି ।
ଅକ୍ଟୋବର ୨୫ ତାରିଖ (ଶୁକ୍ରବାର) ପାଇଁ ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ୱରକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ସହିତ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟପକ୍ଷରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଦେଓଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଝାରସୁଗୁଡ଼ା ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଅକ୍ଟୋବର ୨୬ ତାରିଖ (ଶନିବାର) ମଧ୍ୟ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁରକୁ ୟେଲୋ ଆଲର୍ଟରେ ରଖାଯାଇଛି ।