କଟକ: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପୁନର୍ବାର ଜିଲ୍ଲା କୋର୍ଟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଖୁବଶୀଘ୍ର କାମ ଆରମ୍ଭ । ସେହିପରି ମହିଳା ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ୪ଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି । କଟକ ଜୁଡିସିଆଲ ଏକାଡେମୀ ନିକଟରେ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟର 'ନ୍ୟାୟିକ ଅଭିଲେଖାଗାର' କେନ୍ଦ୍ରର ଉଦଘାଟନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀଙ୍କ କରକମଳରେ 'ନ୍ୟାୟିକ ଅଭିଲେଖାଗାର' କେନ୍ଦ୍ରର ଉଦଘାଟନ ହୋଇଛି । ମୋଟ ୩୯କୋଟି ବ୍ୟୟରେ ନିର୍ମିତ ହୋଇଛି ଅଭିଲେଖାଗାର । ଏହି କେନ୍ଦ୍ର ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୨୦୦ ବର୍ଷର ନ୍ୟାୟିକ ରେକର୍ଡ, ଦସ୍ତାବିଜ, କଳାକୃତି ଏବଂ ବିଚାରପତିଙ୍କ ବିଚାରର ରେକର୍ଡକୁ ସଂରକ୍ଷିତ ରଖାଯିବ । ଏହି କେନ୍ଦ୍ର କେବଳ ନ୍ୟାୟ ପାଳିକାର ସମୃଦ୍ଧ ପରମ୍ପରାକୁ ପାଳନ କରୁନାହିଁ ବରଂ ଆଗାମୀ ପିଢି ପାଇଁ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ସାମୁହିକ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜିଲ୍ଲା କୋର୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ବାଲେଶ୍ୱର, କଟକ ଓ କେନ୍ଦୁଝରରେ ଜମି ଅଧିଗ୍ରହଣ ହୋଇଯାଇଛି । ସେହିପରି ବିଚାର ବିଭାଗକୁ ଆହୁରି କ୍ରିୟାଶୀଳ କରିବାକୁ ଅତିରିକ୍ତ ୧୪ଟି ଜିଲ୍ଲା ନ୍ୟାୟାଳୟ, ୫ଟି ଭିଜିଲାନ୍ସ କୋର୍ଟ, ୨ଟି ଫ୍ୟାମିଲି କୋର୍ଟ ଓ ୭ଟି ଗ୍ରାମୀଣ କୋର୍ଟ ପ୍ରତିଷ୍ଠା କରିବାକୁ ସରକାର ଅନୁମୋଦନ କରି ସାରିଛନ୍ତି । ସେହିପରି ହାଇକୋର୍ଟରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୨୮୪ କୋଟି ବ୍ୟୟରେ ୫୫୦ଟି ଷ୍ଟାଫ୍ କ୍ୱାର୍ଟର୍ ନିର୍ମାଣ କରାଯିବ ।
ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ଵରେ ଅନନ୍ୟ, ଭାରତର ଗଣତନ୍ତ୍ର ଏବଂ ନିରପେକ୍ଷ ନ୍ୟାୟ ପାଳିକା ପାଇଁ ଦେଶ ଆଜି ସମଗ୍ର ବିଶ୍ଵରେ ସମ୍ମାନର ଅଧିକାରୀ ହୋଇପାରିଛି । ଆମର ନ୍ୟାୟପାଳିକା ବ୍ୟବସ୍ଥାକୁ ନେଇ ଆମେ ସମସ୍ତେ ଗର୍ବିତ । ନ୍ୟାୟ ବ୍ୟବସ୍ଥାକୁ ଆହୁରି ତ୍ଵରିତ କରିବା ପାଇଁ ୧୫୦ ବର୍ଷର ବ୍ରିଟିଶ ଆଇନକୁ ବିଦାୟ ଦେଇ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଅଧିନିୟମର ପ୍ରଣୟନ କରାଯାଇଛି। ଏହାଦ୍ବାରା ଲୋକଙ୍କୁ ଉଚିତ ଏବଂ ତ୍ଵରିତ ନ୍ୟାୟ ପ୍ରଦାନ କରାଯାଉଛି।
ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି । ଭୁବନେଶ୍ଵର ଠାରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ଅତ୍ୟାଧୁନିକ ଜିଲ୍ଲା ନ୍ୟାୟ ପରିସରର ଶୁଭ ଉଦ୍ଘାଟନ କରାଯାଇଛି । ମହିଳା ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ୪ଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏହି କେନ୍ଦ୍ର ଏହାର ଏକ ପ୍ରମୁଖ ଅଂଶ ବିଶେଷ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।