ଭୁବନେଶ୍ୱର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏହି କର୍ମଶାଳାରେ ସମସ୍ତ ଜିଲ୍ଲାର ମୁଖ୍ୟ ଉନ୍ନୟନ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୩୧୪ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗ ଦେଇଥିଲେ। ଉପସ୍ଥିତ ବିଡ଼ିଓ ଏବଂ ସିଡ଼ିଓଙ୍କୁ ଭଲ କାମ କରିବାକୁ ପରାମର୍ଶ ଦେବା ସହିତ ଦୁର୍ନୀତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଲୋକଙ୍କୁ ଉଚିତ ବ୍ୟବହାର ଦେଖାଇବାକୁ କଡ଼ା ତାଗିଦ କରିଛନ୍ତି । ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣମାନଙ୍କ ପାଖକୁ ପହଞ୍ଚେ । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ, ସିଡିଓ ଏବଂ ବ୍ଲକ୍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି। ଏହି ସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି। ସେମାନଙ୍କର ସୁବିଧା ଅସୁବିଧା ଜାଣନ୍ତି । ସରକାରଙ୍କ ସବୁ ଯୋଜନାକୁ ଆପଣମାନେ ଲୋକଙ୍କ ପାଖକୁ ଠିକ୍ ଭାବରେ ପହଞ୍ଚାନ୍ତୁ । ସେମାନଙ୍କୁ କୌଣସି ପରିସ୍ଥିତିରେ ଦୟାର ପାତ୍ର ବୋଲି ଭାବିବେ ନାହିଁ । ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ । ଏହା ସେମାନଙ୍କ ଅଧିକାର । ସରକାର ଓ ଲୋକଙ୍କ ଭିତରେ ବିଡ଼ିଓ ଓ ସିଡ଼ିଓ ହେଉଛନ୍ତି ସେତୁ । ସେତୁ ସୁଦୃଢ଼ ଓ ପ୍ରଶସ୍ତ ହେଲେ ଯୋଗାଯୋଗ ବ୍ୟବସ୍ଥା ଭଲ ହୁଏ ବୋଲି ସେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନିଜକୁ ଜନ ସେବକ ଭାବି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ । ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ମେସିନ୍ ବଦଳରେ ମାନବ ଶକ୍ତିର ଅଧିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ରୋଜଗାର ପାଇବା ସହିତ ଦାଦନ ସମସ୍ୟା ଦୂରିଭୂତ ହେବ ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଗାଁର ବିକାଶ ନହେଲେ ଦେଶର ବିକାଶ ହେବ ନାହିଁ । ଏହି ଦୃଷ୍ଟିକୋଣ ଆଧାରରେ ଆମେ କାମ କରୁଛୁ । ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଦାୟିତ୍ୱବୋଧତାକୁ ଆପଣମାନେ ପ୍ରାଥମିକତା ଦେଇଛନ୍ତି । ସରକାରଙ୍କ ଯୋଜନାକୁ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇଲେ, ସରକାରଙ୍କର ସଠିକ ମୂଲ୍ୟାଙ୍କନ ହୋଇ ପାରିବ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହ ଆମକୁ ସଫଳ କରାଇବ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ବିକଶିତ ଓଡିଶାର ରୋଡମ୍ୟାପରେ ଗାଁର ବିକାଶକୁ ହିଁ ଆମେ ପ୍ରାଥମିକତା ଦେଇଛୁ। ଏଣୁ ପ୍ରତ୍ୟେକ ବ୍ଲକରେ ଏହି ବିକାଶର ମନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ହେଉଛି ଆପଣ ମାନଙ୍କର ।