ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସେଥିପାଇଁ ସଂସଦ ପରିସରକୁ ହାଇଆଲର୍ଟରେ ରଖାଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆସନ୍ତା ୧୩ ତାରିଖରେ ସଂସଦକୁ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଆତଙ୍କବାଦୀ ସଂଗଠନ ଖଲିସ୍ତାନ ନାଁରେ ମେଲ୍ ଆସିଥିବା ଜଣାପଡ଼ିଛି ବୋମା ଧମକ।
ଖାଲି ସେତିକି ନୁହେଁ ସଂସଦ ସମେତ ଆଉ ୯ଟି ସ୍କୁଲକୁ ମଧ୍ୟ ଏପରି ଧମକ ଆସିଛି । ଦିନ ୧ଟା ୧୧ ମିନିଟରେ ବିସ୍ଫୋରଣ କରିବାକୁ ଧମକ ଆସିଛି। ଜାକେରୀ ଜେକିନ୍ସ (zachborden9@gmail.com) ନାମରେ ଇମେଲ୍ ଆସିଛି । ଇମେଲରେ ‘ଦିଲ୍ଲୀ ହେବ ଖଲିସ୍ତାନ’ ବୋଲି ଉଲ୍ଲେଖ ରହିଛି । ଏହା ସହିତ ‘ସ୍କୁଲ ମଝିରେ ଆଜି ଧମାକା’, ‘ପାର୍ଲିଆମେଣ୍ଟ ମଝିରେ ୮୦୦ ବୋମା ଚାଲିବ’, ‘ମୋଦୀ-ଶାହା-ଜୟଶଙ୍କର ଖାଲିସ୍ତାନୀଙ୍କ ଶତ୍ରୁ’ ବୋଲି ମେସେଜ୍ ଲେଖାଯାଇଛି ।
ତେବେ ବୋମା ଧମକ ପରେ ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି । ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ୍, ସନ୍ଧାନୀ କୁକୁର ଏବଂ ବମ୍ ସ୍କ୍ୱାଡ୍ ପହଁଚି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ତେବେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି ।