ଗଞ୍ଜାମ: ଆଜି (ସୋମବାର) ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗାଁ ଛକରେ ଅଭାବନୀୟ ଘଟଣା ଘଟିଛି। ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ କଣ୍ଟେନରରେ ଆଇସକ୍ରିମ ଭର୍ତ୍ତି କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।
ଆଜି ହଠାତ୍ ବିସ୍ଫୋରଣ ହେବାରୁ ଆଖପାଖ ଲୋକେ ଧାଁଦୌଡ଼ କରିଥିଲେ। ଏହାପରେ ଆଇସକ୍ରିମ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତା’ ମଧ୍ୟରୁ ଗୁରୁତରମାନଙ୍କୁ ଉଦ୍ଧାର କରିଥିଲା। ଶ୍ରମିକମାନେ ହେଲେ ରମେଶ ମହାପାତ୍ର, ହେମନ୍ତ ମହାପାତ୍ର, ସଭାପତି ମହାପାତ୍ର ଏବଂ ବିଦେଶୀ ପ୍ରଧାନ। ବିସ୍ଫୋରଣ ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ତୁରନ୍ତ ଆସ୍କା ହସ୍ପିଟାଲକୁ ନେଇଯାଇଥିଲେ। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ, ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ରେଫର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ବର୍ତମାନ ଗୁରୁତର ଅଛନ୍ତି।
ବିସ୍ଫୋରଣ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କର୍ତ୍ତୃପକ୍ଷ କାରଖାନା ପରିସର ଯାଞ୍ଚ କରୁଛନ୍ତି ଏବଂ ବିସ୍ଫୋରଣର କାରଣ ଖୋଜିବା ପାଇଁ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଚରାଉଚରା କରୁଛନ୍ତି। ତେବେ କିପରି ଏବଂ କାହିଁକି ବିସ୍ଫୋରଣ ଘଟିଲା, ତାହା ଜଣାପଡ଼ିନାହିଁ। ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୀଡିତଙ୍କ ପରିବାର ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏବଂ କଠୋର ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।
ଅଧିକ ପଢନ୍ତୁ: ମହମ୍ମଦ ମୋକିମ୍ଙ୍କ ବଡ଼ ଘୋଷଣା; ଏପ୍ରିଲ୍ ୮ରେ ଲଞ୍ଚ୍ କରିବେ ନୂଆ ଦଳ, ଜାଣନ୍ତୁ କଣ ରହିବ ନାଁ