ବଲାଙ୍ଗୀର: ସଡ଼କ ଦୁର୍ଘଟଣାରେ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ଜଣେ ଡାକ୍ତରୀ ଛାତ୍ରୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲାର ସିମରନ ଷଡ଼ଙ୍ଗୀ । ସେ ହେଲେ ବଞ୍ଚାଇବା ସମ୍ଭବ ହୋଇନାହିଁ । ସେ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷର ଛାତ୍ରୀ ଥିଲେ ।
ଗତ ଶନିବାର ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲର କଲେଜ ସମ୍ମୁଖରେ ସିମରନଙ୍କୁ ଏକ ସ୍ପିଡ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଟାଉନ ଥାନା ପୋଲିସ ସେଠାରୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଗୁରୁତର ଆହତ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଆୟୁର୍ବେଦିକ କଲେଜର ପ୍ରିନ୍ସିପାଲ୍ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଦୁର୍ଘଟଣା ଘଟାଇଥିବା ସ୍ପିଡ ବାଇକରଙ୍କୁ ଥାନାରେ ଅଟକ ରଖିଛି।
ବଲାଙ୍ଗୀର ସହରରେ ସ୍ପିଡ ବାଇକର ଓ ନିଶାଖୋର ଅମାନିଆ ମାନେ ବେପରୁଆ ଗାଡ଼ି ଚାଳନ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ବିଶେଷକରି ଆୟୁର୍ବେଦିକ କଲେଜ ସମ୍ମୁଖ ଭିଆଇପି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଏହା ସତ୍ତ୍ୱେ ପୋଲିସ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ଜନ ଅସନ୍ତୋଷ ବଢୁଛି । ଡାକ୍ତରୀ ଛାତ୍ରୀ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରେ ଦୁଃଖର ଛାୟା ଖେଳିଯାଇଛି l ଦୁର୍ଘଟଣାକୁ ନେଇ ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି । ଯେପର୍ଯ୍ୟନ୍ତ ଦାବୀ ପୂରଣ ନହୁଏ ସେତେବେଳେ ଯାଏଁ ରାସ୍ତା ରୋକ୍ ଜାରି ରହିବ ବୋଲି ଛାତ୍ରଛାତ୍ରୀ ସୂଚନା ଦେଇଛନ୍ତି ।