ପୁରୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରିବାକୁ ଆରମ୍ଭ ହୋଇଛି ସର୍ଭେ । ରାଜ୍ୟ ସରକାର ଶୁକ୍ରବାର ପିଏମ ଆବାସ ଯୋଜନା ପୋର୍ଟାଲର ଶୁ ସର୍ଭେକୁ ଆରମ୍ଭ କରିଛନ୍ତି । ଘରକୁ ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଅର୍ଜୁନସିଂହପୁର ଗ୍ରାମକୁ ଯାଇ ସର୍ଭେ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ପୁରୀ ସାଂସଦ ସମ୍ବିତ ପାତ୍ର । ଏହି ସର୍ଭେ ଆଗାମୀ ଦେଢ଼ ମାସ ପର୍ଯ୍ୟନ୍ତ ଜାରି ରହିବ ।
ମନ୍ତ୍ରୀ ଓ ସାଂସଦ ଗ୍ରାମବାସୀଙ୍କୁ ଭେଟି ସର୍ଭେ କରି ଯେଉଁମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ପୁନର୍ବାର ସାମିଲ କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉପସ୍ଥିତିରେ ୫ ଜଣ ହିତାଧିକାରୀଙ୍କୁ ଆବାସ ଯୋଜାନାରେ ତାଲିକାଭୁକ୍ତ ହୋଇଛନ୍ତି । ସେମାନେ ହେଲେ ଉମା ବେହେରା, ସଞ୍ଜୁ ବେହେରା, ଜୁନା ବେହେରା, ମମତା ବେହେରା ଓ କୁମା ବେହେରା ।
ଏହା ସହିତ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଆବାସ ଯୋଜନାରେ ଯୋଗ୍ୟତାର ମାନଦଣ୍ଡ କୋହଳ କରାଯାଇଛି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଫୋନ ରଖିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରତିବନ୍ଧକ ନାହିଁ । ଯେଉଁମାନଙ୍କର ମାସିକ ଆୟ ୧୫ ହଜାରରୁ କମ୍ ଥିବା ସେମାନେ ମଧ୍ୟ ଯୋଜନାର ଲାଭ ଉଠାଇପାରିବେ । ଏମିତିକି ବାପାଙ୍କ ଅଲଗା ହୋଇଥିବା ପୁଅଙ୍କୁ ଅଲଗା ଆବାସ ଯୋଜନା ମିଳିବ । ସେହିପରି କିପରି ‘ଆବାସ ପ୍ଲସ୍’ (AwaasPlus) ମୋବାଇଲ୍ ଆପ୍ ଜରିଆରେ ଆବେଦନ କରିହେବ । ଏହା ସହିତ ଅଫଲାଇନରେ ମଧ୍ୟ ଆବେଦନ କରିହେବ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୪-୬୭୧୭୭୭୭ରେ ଯୋଗାଯୋଗ କରିପାରିବେ ହିତାଧିକାରୀ ।
ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଆହୁରି କହିଛନ୍ତି ଯେ ଗରିବ ଲୋକ ବିଭିନ୍ନ ସମୟରେ କଷ୍ଟ ପାଇଛନ୍ତି । ପୂର୍ବ ସରକାରଙ୍କ ପାଖରେ ସବୁ ତଥ୍ୟ ପରେ ମଧ୍ୟ ସେମାନେ ପ୍ରତାଡ଼ିତ ହୋଇଛନ୍ତି । ବାତ୍ୟା ଫନିରେ ଘର ଭାଙ୍ଗିଲା ପରେ ବି ସେମାନେ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ।