ଅନୁଗୁଳ: ଜଣେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ଅନୁଗୁଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠୀଙ୍କୁ କିଛି ଦୁର୍ବୃତ୍ତ ବସ୍ ଚଢ଼ାଇ ମାରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ସେ ଥାନାରେ ଏତଲା ଦେଇଛନ୍ତି ।
ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସ୍ପେକ୍ଟର ଖଲେଶ୍ୱର ସେଠୀ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍ (ଓଡି୦୫ଏବି୧୭୬୫) ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଖଲେଶ୍ୱର ରାସ୍ତା କଡ଼କୁ ଚାଲିଯିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ବସ୍ ଚାଳକ ଓ ଅନ୍ୟ ଦୁଇ ଜଣ ସହଯୋଗୀ ଗାଡ଼ିରୁ ଓହ୍ଲାଇ ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ ମଧ୍ୟ କରିଥିଲେ । ଥାନା ଅଧିକାରୀ ତୁରନ୍ତ ଅନୁଗୁଳ ଥାନାକୁ ଜଣାଇବା ପରେ ପୋଲିସ ଟିମ୍ ତୁରନ୍ତ ସେଠାରେ ପହଁଚି ତାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ସେ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।