କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଏବେ ଆରମ୍ଭ ହେବ ତଦନ୍ତ । ଟଙ୍କା ନେଣ ଦେଣ ଠାରୁ ଆରମ୍ଭ କରି ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସାରେ ଅବହେଳା ନେଇ ତଦନ୍ତ କରିବ ପୋଲିସ । ହ୍ୟୁମାନଙ୍କ ମାଆ ଶେଫାଳୀ ସୁନାଙ୍କ ଏତଲା ପରେ କଟକ ମର୍କତ ନଗର ଥାନା ପୋଲିସ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତା ଧାରା ୩୫୬/୨, ୬୧/୨ବି, ୩୧୮/୪, ୧୧୫/୨, ୩୫୧/ବି ଏବଂ ୩(୫) ଆଧାରରେ ମାମଲା ରୁଜୁ ହୋଇଛି ।
ମାଆ ଶେଫାଳୀ ମ୍ୟାନେଜର ଦିନେଶ ବେହେରାଙ୍କ ସମେତ ଗାୟିକା ଅର୍ପିତା ଚୌଧୁରୀ ଏବଂ ବୋହୂ ଶ୍ରେୟା ମିଶ୍ରଙ୍କ ନାମ ମଧ୍ୟ ଏତଲାରେ ଉଲ୍ଲେଖ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ ଅର୍ପିତା ବହୁତ ସମୟ ଘରକୁ ଆସୁଥିଲା । ତା ପାଇଁ ପୁଅ ମାନସିକ ଅବସାଦରେ ଥିଲା । ବୋହୂ ନାଁ ମଧ୍ୟ ରହିଛି । କାରଣ ବୋହୂ ଦୋଷୀ ହେଉ କିମ୍ବା ନିର୍ଦ୍ଦୋଷ ହେଉ ତା ନାଁ ରହିବ । ସମସ୍ତଙ୍କୁ ତଦନ୍ତ କରାଯିବ ସେଥିପାଇଁ ତା ନାଁ ରହିଛି । ଯଦି ନ୍ୟାୟ ନ ମିଳେ ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଶେଫାଳୀ ସୁନା ।
ଉଲ୍ଲେଖ ଯୋଗ୍ୟ, ଗତକାଲି ହ୍ୟୁମାନଙ୍କ ମାଆ କଟକ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏହି ଏତଲାରେ ହ୍ୟୁମାନଙ୍କ ଚିକିତ୍ସାରେ ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମା\' । ଏଥିସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତର ମଧ୍ୟ ତଦନ୍ତ ଦାବି କରି ଏତଲା ଦେଇଛନ୍ତି।