ଭୁବନେଶ୍ୱର : ଟ୍ରେନ ଶୌଚାଳୟ ପାଖରେ ବସି ଓଡ଼ିଶାର କୁସ୍ତି ଖେଳାଳି ଉତ୍ତରପ୍ରଦେଶ ଯିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ। ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଯୋଗ୍ୟ ଉତ୍ତରପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳି ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନର ଶୌଚାଳୟ ପାଖରେ ବସି ଯାତ୍ରା କରିଥିବା ଜଣାପଡ଼ିଛି। ଦଶ ଜଣ ପୁଅ ଏବଂ ଆଠ ଜଣ ଝିଅଙ୍କୁ ନେଇ ତିଆରି ଏହି ଟିମର ଟିକେଟ କନଫର୍ମ ହୋଇ ନପାରିବାରୁ ସେମାନଙ୍କୁ ପ୍ରବଳ ଥଣ୍ଡାରେ ଟ୍ରେନର ସାଧାରଣ କୋଚ୍ର ଶୌଚାଳୟ ପାଖରେ ଯାତ୍ରା କରିବାକୁ ପଡିଥିଲା। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା ବୋଲି ଜଣାପଡିଛି ।
ତେବେ ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାପରେ ଓଡ଼ିଶାରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା ବେଳେ ସାଧାରଣରେ କଡା ନିନ୍ଦା ମଧ୍ୟ କରାଯାଇଥିଲା। ଏପରି ଦୃଶ୍ୟ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଯୁବ ଖେଳାଳି ମାନଙ୍କ ସୁରକ୍ଷା, ମର୍ଯ୍ୟାଦା କୁ ନେଇ ଅନେକ ପ୍ରଶ୍ନ ଉଠାଇଛି।