କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା। ସେ କହିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ତଦନ୍ତ ହେବ। ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଯେଉଁମାନଙ୍କ ନାଁ ଏତଲାରେ ରହିଛି, ସେମାନଙ୍କୁ ନୋଟିସ୍ କରି ଡକାଯିବ ଏବଂ ମାମଲାର ବ୍ୟାପକ ତଦନ୍ତ କରାଯିବ। ଆଇନର ପ୍ରକ୍ରିୟା ଅନୁଯାୟୀ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି କଟକ ଏଡିସିପି ଅମରେନ୍ଦ୍ର ପଣ୍ଡା। ସୁରୁଖୁରୁରେ ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ସୂଚନା ମୁତାବକ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ କଟକ ମର୍କତ ନଗର ଥାନାର ଦ୍ବାରସ୍ଥ ହୋଇଥିଲେ ହ୍ୟୁମାନଙ୍କ ମା' ଶେଫାଳୀ ସୁନା। ହ୍ୟୁମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ଚାପ ମଧ୍ୟ ପ୍ରୟୋଗ କରାଯାଉଥିଲା। ଚିକିତ୍ସାରେ ଅବହେଳା ବି କରାଯାଇଥିଲା, ଏମିତି ଏକାଧିକ ସଙ୍ଗୀନ ଅଭିଯୋଗ ନେଇ କଟକ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହ୍ୟୁମାନ ସାଗରଙ୍କ ମା'। ଅବହେଳା, ଦୁର୍ବ୍ୟବହାର , ଚାପ , ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ଷଡଯନ୍ତ୍ର , ଆର୍ଥିକ ହେରଫେର୍ , ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତ ତଦନ୍ତ ଦାବି କରାଯାଇଛି।
କେବଳ ସେତିକି ନୁହଁ, ବଡ଼ ଧରଣର ଆର୍ଥିକ ହେରଫେର ରହିଥିବା ନେଇ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମା' ଅଭିଯୋଗ କରିଥିଲେ। ଯେଉଁମାନେ ହ୍ୟୁମାନଙ୍କ ଅତ୍ୟନ୍ତ ନିକଟତର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କରିଥିଲେ। ହ୍ୟୁମାନଙ୍କ ମା'ଙ୍କ ଦାବି ଅନୁସାରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡ଼ାକ୍ତର, ବାନ୍ଧବୀ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବଲୁଙ୍କ ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କହିଥିଲେ। ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ମଧ୍ୟ ଏତଲାରେ ସେ ଉଲ୍ଲେଖ କରିଛନ୍ତି। ଏପରିକି ଅର୍ପିତାଙ୍କ ସମ୍ପତ୍ତିକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।
ଅଧିକ ପଢନ୍ତୁ: ହ୍ୟୁମାନ ସାଗର ମୃତ୍ୟୁ ଘଟଣା: ମାମଲା ରୁଜୁ କଲା ପୋଲିସ
ହ୍ୟୁମାନ ରହୁଥିବା ଘରର ସିସିଟିଭି ଫୁଟେଜ, ଘରକୁ ଯାତାୟାତ କରୁଥିବା ଲୋକଙ୍କ ରେଜିଷ୍ଟରରେ ଉଲ୍ଲେଖ ନାମ, ହ୍ୟୁମାନଙ୍କ ମୋବାଇଲରୁ ଉଡାଯାଇଥିବା ତଥ୍ୟର ରିକୋଭରୀ ସହ ସିଡିଆର ଯାଞ୍ଚ କରିବାକୁ ସେ ଏତଲା କପିରେ ଉଲ୍ଲେଖ କରିଥିଲେ। ଏହାସହ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ।
ଅଧିକ ପଢନ୍ତୁ: ଡାହାଣୀ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀଙ୍କ ତାଗିଦ; 'ଅନ୍ଧବିଶ୍ଵାସ ଥିବା ଅଞ୍ଚଳକୁ ଯାଇ କର ସଚେତନ'