ଭୁବନେଶ୍ୱର: ବିଜେଡ଼ିରୁ ଦୁଇ ବିଧାୟକଙ୍କ ନିଲମ୍ବନ ପରେ ରାଜନୈତିକ ବୟାନ ବାଜି ଜାରି ରହିଛି । ମୁଖପାତ୍ର ଲେନିନ୍ ମହାନ୍ତି ମିଡ୍-ଡେ ଅପରେସନ୍ ଅଭିଯୋଗ ପରେ ଜବାବ ମାଗିଛନ୍ତି ନିଲମ୍ବିତ ସଦସ୍ୟ ବିଧାୟକ ଅରବିନ୍ଦ ମହାପାତ୍ର ।
ଅରବିନ୍ଦ ଦଳର ମୁଖପାତ୍ରଙ୍କୁ ଖୋଲାଖୋଲି ଭାବେ ତାଙ୍କ ଉପରେ ଆସିଥିବା ଅଭିଯୋଗର ପ୍ରମାଣ ମାଗିଛନ୍ତି । ମନ ଗଢ଼ା କାହାଣୀ ନ କହି ଅଭିଯୋଗର ପ୍ରମାଣ ଦିଅନ୍ତୁ । କାହା ସହ କେଉଁଦିନ କେତେବେଳେ ବସିଥିଲେ କହିଲେ ବହୁତ ଭଲ ହେବ । ଅରବିନ୍ଦ କହିଛନ୍ତି ଯେ ମୁଁ ମାତ୍ର ଦେଢ଼ ବର୍ଷର ବିଧାୟକ ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର । ଗୋଟିଏ ଶବ୍ଦ କହି ଖସିଯିବା ଅନୁଚିତ କିନ୍ତୁ ତାହାକୁ ପ୍ରମାଣିତ କରନ୍ତୁ । ଏହା ସହିତ ବାପା ବିଜୟ ମହାପାତ୍ରଙ୍କୁ ଏଥିମଧ୍ୟକୁ ନ ଟାଣିବାକୁ ଅରବିନ୍ଦ ଅନୁରୋଧ କରିଛନ୍ତି । ସେ ସ୍ୱାଧୀନ ତେଣୁ ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ ।
ସେହିପରି ସନାତନ ମହାକୁଡ଼ଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ଅରବିନ୍ଦ ସ୍ପଷ୍ଟ କରିଛନ୍ତି । ସନାତନ ମହାକୁଡ଼ ବରିଷ୍ଠ ନେତା ଏବଂ ବିଧାନସଭାରେ କେବଳ ଦେଖା ହୋଇଛି । ଏମିତିକି ବିଧାନସଭାରେ ଲବିରେ ମଧ୍ୟ ଦୁହିଁଙ୍କର କେବେ ସାକ୍ଷାତ ହୋଇ ନାହିଁ । କେବେବି ଅଲଗା ଦଳ କଥା ଭାବିନି । ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି ଏବଂ ବିଧାୟକ ପଦରୁ କେହି ହଟାଇ ପାରିବେନି । ବିକାଶ କାମ ଜାରି ରଖିବି ବୋଲି କହିଛନ୍ତି ଅରବିନ୍ଦ ।
ଲେନିନ୍ ମହାନ୍ତି ଅଭିଯୋଗ ଲଗାଇଛନ୍ତି ଯେ ବିଜେଡ଼ିକୁ ପୁଣି ଥରେ ଭାଙ୍ଗିବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା। ମୁଖପାତ୍ର ଶ୍ରୀଯୁକ୍ତ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅନେକ ତଥ୍ୟ ହାତ ଆସିଲା ପରେ ଏବଂ ଦୃଢ଼ ପ୍ରମାଣ ମିଳିବା ପରେ ସଭାପତି ନିଷ୍ପତ୍ତି ନେଇଛନ୍ତି । ବିଜୟ ମହାପାତ୍ର ବରିଷ୍ଠ ନେତା ସେ କେଉଁଠାକୁ ବି ଯାଇପାରିବେ, ସେଟା ତାଙ୍କର ସ୍ୱାଧୀନତା । ଦଳକୁ ଦୁର୍ବଳ କରିବାକୁ କିଛି ଲୋକ ଉଦ୍ୟମ କରୁଥିଲେ । ଏହି ତିନି ଜଣ ନେତା ସେମାନଙ୍କର ନେତୃତ୍ୱ ନେଉଥିଲେ । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।