କଟକ: ବହୁ ଚର୍ଚ୍ଚିତ ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଫେରାର ହେବା ଘଟଣା ନୂଆ ମୋଡ଼ ନେଇଛନ୍ତି । ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଅଧୀକ୍ଷକ ରେଜିଷ୍ଟର୍ ସରକାରୀ ରେକର୍ଡରେ ଜାଲିଆତି ଓ ସରକାରୀ ପଦବୀର ଅପବ୍ୟବହାର କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ଜେଲର୍ ।
ଜେଲ୍ ଏବଂ ଡି.ସି.ଏସ୍. ନିର୍ଦ୍ଦେଶାଳୟ ଜେଲର୍ ଭାବେ କାର୍ଯ୍ୟରତ ସନ୍ତୋଷିନୀ ଦାଶ ଅଭିଯୋଗ କରିଛନ୍ତି ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଦସ୍ତଖତ ଜାଲିଆତି, ମିଥ୍ୟା ପ୍ରମାଣପତ୍ର, ସରକାରୀ ରେକର୍ଡରେ ହେରଫେର ଏବଂ ଅପରାଧିକ ଅସଦାଚରଣର ଭଳି ଗମ୍ଭୀର କାର୍ଯ୍ୟ କରିଛନ୍ତି । ଗତବର୍ଷ ଅକ୍ଟୋବର ୧,୨ ଓ ୩ ତାରିଖରେ ଚୌଦ୍ୱାର ଜେଲର ସରକାରୀ ଗେଟ୍ ଇନ୍-ଆଉଟ୍ ରେଜିଷ୍ଟରକୁ ଉଦ୍ଦେଶ୍ୟମୂଳକ ଭାବରେ ହେରଫେର କରାଯାଇଛି । ଯାହା ଦ୍ୱାରା ସରକାରୀ ଡ୍ୟୁଟି ସମୟରେ ଜେଲ୍ ପରିସରରେ ଅଧୀକ୍ଷକଙ୍କ ନିରନ୍ତର ଉପସ୍ଥିତିକୁ ମିଥ୍ୟା ଭାବରେ ଦର୍ଶାଯାଇ ପାରିବ ।
ଅକ୍ଟୋବର ୨ ତାରିଖରେ ସୁଜିତ ସରକାରୀ ମିନିଟ୍ ବୁକରେ ଏକ ମିନିଟ ଅର୍ଡର ରେକର୍ଡ କରିଥିଲେ, ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥିଲା ଯେ ସେ ସେହି ତାରିଖରେ ବ୍ୟକ୍ତିଗତ କାମ ପାଇଁ ଖୋର୍ଦ୍ଧା ଯାଇଥିଲେ । କିନ୍ତୁ ରେଜିଷ୍ଟରରେ ସେ ଉପସ୍ଥିତି ଥିବା ଦର୍ଶାଇଥିଲେ ।
ଅକ୍ଟୋବର ୩ ତାରିଖରେ ଦୁଇଜଣ ବିଚାରାଧୀନ କଏଦୀ ପଳାୟନ କରିବା ମାମଲାର ତଦନ୍ତକୁ ବାଟବଣା କରିବାକୁ ନିଜର ମିଥ୍ୟା ଉପସ୍ଥିତିକୁ ଦର୍ଶାଇ ପାରିବେ, ସେଥିପାଇଁ ଅକ୍ଟୋବର ୨ର ଗେଟ୍ ଇନ-ଆଉଟ୍ ରେଜିଷ୍ଟରକୁ ଜାଲିଆତି କରିଥିଲେ । ଅଧୀକ୍ଷକ ସୁଜିତ ଜେଲରଙ୍କ ଦସ୍ତଖତକୁ ଜାଲିଆତି କରି ତଦନ୍ତକୁ ଦିଗହରା କରିବାକୁ ଚେଷ୍ଟା କରିଥିବା ପୂର୍ବତନ ଜେଲର୍ ଅଭିଯୋଗ କରିଛନ୍ତି । ତେଣୁ ରେଜିଷ୍ଟରର ଫରେନସିକ୍ ଯାଞ୍ଚ କରିବା ସହିତ ଘଟଣା ଦିନର ମେନ୍ ଗେଟ୍ ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିବାକୁ ଜେଲର୍ ସନ୍ତୋଷିନୀ ଦାବି କରିଛନ୍ତି ।