ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଏହା 'ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା' (ଓଏସସିଏଫ) ଉପରେ ଆଧାରିତ ହେବ । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍-ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଭୁବନେଶ୍ୱରଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ଏହି ଆଲୋଚନା ବୈଠକରେ ଅବସରରେ ଉଭୟ ମନ୍ତ୍ରୀ ରାଜ୍ୟର ସମସ୍ତ ୩ଟି ଜିଲ୍ଲାର ମାଷ୍ଟର ଟ୍ରେନର ଏବଂ ଶୈକ୍ଷିକ ନେତୃବୃନ୍ଦଙ୍କ ସହ ନୂତନ ପାଠ୍ୟକ୍ରମ ଓ ଶିକ୍ଷକ ପ୍ରଶିକ୍ଷଣ ଉପରେ ଆଲୋଚନା କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାବର୍ଷ ୨୦୨୬-୨୭ ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଏହା 'ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା' (ଓଏସସିଏଫ) ଉପରେ ଆଧାରିତ ହେବ । ରାଜ୍ୟର ପ୍ରାୟ ୧.୬୭ ଲକ୍ଷ ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ । ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶକୁ ନିରନ୍ତର ଜାରି ରଖିବାକୁ ଗୁରୁତ୍ୱ ଦିଆଯାଇଛି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ । ଯାହାଦ୍ୱାରା ପିଲାମାନଙ୍କର ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀଯୁକ୍ତ ପ୍ରଧାନ ।
ସେହିପରି ପ୍ରାଥମିକ ସ୍ତରରେ ପିଲାମାନଙ୍କର ପଢ଼ିବା, ଲେଖିବା ଓ ସଂଖ୍ୟା ଜ୍ଞାନର ଦକ୍ଷତା ବୃଦ୍ଧି ପାଇଁ ନିପୁଣ ଓଡ଼ିଶା ଲକ୍ଷ୍ୟ ହାସଲ ଉପରେ ଚର୍ଚ୍ଚା ହୋଇଛି । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍-ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସେମାନେ ବ୍ୟାବହାରିକ ଜ୍ଞାନ ଏବଂ ସମାଲୋଚନାତ୍ମକ ଚିନ୍ତାଧାରା ଶିଖିପାରିବେ । ଜନ୍ମଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଏନସିଇଆରଟି, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିନିଧିର ପ୍ରତିନିଧିମାନେ ଯୋଗ ଦେଇଥିଲେ ।