ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ଇତିହାସରେ ୨୦୨୬ ଜାନୁଆରୀ ୨୦ ତାରିଖ ଦିନଟି ବଡ ପରିବର୍ତ୍ତନର ସାକ୍ଷୀ ହେବାକୁ ଯାଉଛି । ୪୫ ବର୍ଷୀୟ ନିତିନ ନବୀନ ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଃଦ୍ୱନ୍ଦ୍ୱର୍ରେ ଚୟନ ହେବା ପ୍ରାୟତଃ ସ୍ପଷ୍ଟ । ହେଲେ ଏହି ନିର୍ବାଚନରେ ପ୍ରଥମ ଥର ପାର୍ଟିର ସଂସ୍ଥାପକ ସଦସ୍ୟ ଲାଲକୃଷ୍ଣ ଆଡଭାଣୀ ଓ ମୁରଲୀ ମନୋହର ଯୋଶୀ ମତଦାନ କରି ପାରିବେ ନାହିଁ ।
୧୯୮୦ରେ ବିଜେପିର ସ୍ଥାପନା ପରେ ପ୍ରଥମ ଥର ଏହି ଦୁଇ ନେତାଙ୍କ ନାଁ ଅଧ୍ୟକ୍ଷ ନିର୍ବାଚନର ମତଦାତା ତାଲିକାରେ ନାହିଁ । ଏହା ପଛର କୌଣସି ରାଜନୈତିକ ଅସନ୍ତୋଷ ନୁହେଁ ବରଂ ବୈଷୟିକ କାରଣରୁ । ପାର୍ଟିର ସମ୍ବିଧାନ ଅନୁସାରେ, ରାଷ୍ଟ୍ରୀୟ ପରିଷଦର ସଦସ୍ୟ ହେବା ପାଇଁ ସମ୍ବନ୍ଧିତ ରାଜ୍ୟରେ ସଂଗଠନାତ୍ମକ ନିର୍ବାଚନ ପୂରା ହେବା ବାଧ୍ୟତାମୂଲକ । ଆଡଭାଣୀ ଓ ଯୋଶୀ ବର୍ତ୍ତମାନ ଦିଲ୍ଲୀରୁ ରାଷ୍ଟ୍ରୀୟ ପରିଷଦର ସଦସ୍ୟ । ହେଲେ ଦିଲ୍ଲୀ ରାଜ୍ୟ ସଭାପତି ନିର୍ବାଚନ ହୋଇ ନାହିଁ ।
ଯେ ପର୍ଯ୍ୟନ୍ତ ଦିଲ୍ଲୀରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟସ୍ତରର ନିର୍ବାଚନ ନ ହୋଇଛି, ସେଠାରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ଚୟନ ହୋଇ ପାରିବ ନାହିଁ । ଏହି କାରଣରୁ ଦୁଇ ନେତାଙ୍କ ନାଁ ମତଦାତା ସୂଚୀରେ ନାହିଁ । ଉଲ୍ଲେଖନୀୟ ଏହା ପୂର୍ବରୁ ଆଡଭାଣୀ ଗାନ୍ଧିନଗର ଓ ଯୋଶୀ କାନପୁରରୁ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେଉଥିଲେ । ସକ୍ରିୟ ରାଜନୀତିରୁ ହଟିବା ପରେ ଦିଲ୍ଲୀରୁ ସଦସ୍ୟ ହୋଇଥିଲେ ।
୨୦୨୫ ଡିସେମ୍ବରରୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳୁଥିବା ନିତିନ ନବୀନ ଏବେ ପୂର୍ଣ୍ଣକାଳୀଣ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । ବିହାରର ବାଙ୍କିପୁରରୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିତିନ ବିଜେପିର ବରିଷ୍ଠ ଦିବଙ୍ଗତ ନେତା ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ । ଆରଏସଏସ ପୃଷ୍ଠଭୂମିରୁ ଆସିଥିବା ନବୀନଙ୍କୁ ସଂଗଠନରେ ଭଲ ସମନ୍ୱୟ ରହିଛି ଏବଂ ଛତିଶଗଡ ପରି ରାଜ୍ୟରେ ପାର୍ଟିର ନିର୍ବାଚନ ବିଜୟରେ ବଡ ଭୂମିକା ଗ୍ରହଣ କରିଥିଲେ ।
Also read: ୨୦ ବର୍ଷ ପରେ ଏକାଠି: ତଥାପି ବିଫଳ; ଠାକରେ ଭାଇମାନଙ୍କ ପୁନର୍ମିଳନ କ’ଣ ପରାଜୟର କାରଣ?