ସମ୍ବଲପୁର/ରାୟଗଡ଼ା: ଛାତ୍ରଛାତ୍ରୀଙ୍କୁ ଭଲ ବାଟରେ ଯିବାକୁ ଶିକ୍ଷା ଦେଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ଆଜି ନିଜେ ବାଟବଣା । କେଉଁଠି ଦୁଇ ଜଣ ଶିକ୍ଷୟିତ୍ରୀ ଉଭୟଙ୍କ ମଧ୍ୟରେ ମାରପିଟ୍ ହେଲେଣି ତ ଆଉ କେଉଁଠି ନିଶାସକ୍ତ ଶିକ୍ଷକ ବିଦ୍ୟାଳୟରେ ବିଦ୍ୟାଦାତ୍ରୀ ଗଣେଶ ଏବଂ ମା ସରସ୍ୱତୀଙ୍କ ଦିବ୍ୟ ପ୍ରତିମାକୁ ଭାଙ୍ଗି ଦେଲେଣି । ସମ୍ବଲପୁର ଏବଂ ରାୟଗଡ଼ାରୁ ଏଭଳି ଖବର ଆସିଛି ।
ସୂଚନା ମୁତାବକ, ସମ୍ବଲପୁର ବୁର୍ଲା ସ୍ଥିତ କିର୍ବା ଅପର୍ ପ୍ରାଇମେରୀ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଛି । ପ୍ରଥମେ ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କୌଣସି କଥା ନେଇ ମତାନ୍ତର ଏବଂ ବଚସା ହୋଇଥିଲା । ଏହା ପରେ ବଚସା ଉଗ୍ରରୂପ ନେଇଥିଲା ଏବଂ ହାତାହାତି ଯାଏଁ କଥା ଯାଇଥିଲା । ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ମୁହଁରେ ଗଭୀର ଆଘାତ ଲାଗିଛି । ଏହି ମାରପିଟ୍ ଦୃଶ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଚାଲିଥିଲା । ଏପିରିକି ଉଭୟ ନିଜ ମୋବାଇଲ୍ ପିଲାଙ୍କୁ ଦେଇ ଭିଡ଼ିଓ କରିବାକୁ ମଧ୍ୟ କହିଥିଲେ । ଏଭି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ମିଳିବା ପରେ ମଣ୍ଡଳ ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ରାୟଗଡା ଜିଲ୍ଲା ଅମ୍ବାଦଳା ଜନଜାତି ଉଚ୍ଚ ବିଦ୍ୟାଳୟର ଜଣେ ମଦ୍ୟପ ଶିକ୍ଷକ ବିଦ୍ୟାଳୟ ପରିସର ଭିତରେ ସରସ୍ୱତୀ ଏବଂ ଗଣେଶ ମୂର୍ତ୍ତି ଭାଙ୍ଗିବା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗତ କାଲି ସନ୍ଧ୍ୟା ସମୟରେ ଶିକ୍ଷକ କ୍ରିଷ୍ଣା ରାଜୁ ମଦ୍ୟ ପାନ କରି ନିଶାରେ ବିଦ୍ୟାଳୟ ପରିସରରେ ଘୁରି ବୁଲୁଥିଲେ l ଶିକ୍ଷକଙ୍କ ଏଭଳି ଅବସ୍ଥା ଦେଖି ଛାତ୍ରଛାତ୍ରୀ ଶିକ୍ଷକ ସମ୍ମୁଖକୁ ନଯିବା ପାଇଁ ଚେଷ୍ଟା କରିଥିଲେ l ହେଲେ ସନ୍ଧ୍ୟା ପ୍ରାୟ 6ଟା ସମୟରେ ମଦୁଆ ଶିକ୍ଷକ ଜଣକ ଆଉ କାହାକୁ ନ ପାଇ ବିଦ୍ୟାଳୟ ପରିସରରେ ରଖା ଯାଇଥିବା ଗଣେଶ ଏବଂ ସରସ୍ୱତୀ ମୂର୍ତ୍ତି ସହ କଥା ବାର୍ତ୍ତା କରିବା ଆରମ୍ଭ କରିଦେଇଥିଲେ । ମୂର୍ତ୍ତି ଗୁଡିକ କିଛି ଜବାବ ଦେଇ ନପାରିବାରୁ ଶିକ୍ଷକ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ l ଉକ୍ତ ଘଟଣାକୁ ନେଇ ଅମ୍ବାଦଳା ଧର୍ମ ରକ୍ଷା ସମିତି ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ କିଛି ସମୟ ଉତେଜନା ଦେଖାଦେଇଥିବା ବେଳେ ଆମ୍ବାଦଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହି ଘଟଣା ପୂର୍ବରୁ ମଦ ପିଇ ଶିକ୍ଷକ ଜଣକ ଛାତ୍ରଙ୍କୁ ବାଡେଇବା ଭିଡ଼ିଓ ଭାଇରାଲ୍ ହୋଇଥିଲା l ହେଲେ ଏଥର ଶିକ୍ଷକଙ୍କ ମଦ ନିଶାର ଶିକାର ହେଲେ ହିନ୍ଦୁଙ୍କ ପୂଜ୍ୟ ସରସ୍ବତୀ ଏବଂ ଗଣେଶ ଙ୍କ ମୂର୍ତ୍ତି l ଶିକ୍ଷକ ଙ୍କ ମାଡ଼ ରେ ମୂର୍ତ୍ତି ଗୁଡିକ ର ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିବା ପରିଲକ୍ଷିତ ହେଇଛି l
ପୂର୍ବରୁ ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ବିଦ୍ୟାର୍ଥୀ ତଡା ଖାଇବା ତଥା ସହ କର୍ମୀ ଙ୍କୁ ହଇରାଣ କରିବା ଭଳି ଘଟଣା କୁ ନେଇ ଅନେକ ଅଭିଯୋଗ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ପହଂଚିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିଲା l ପୂର୍ବରୁ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଥରେ ଏବଂ ମଦୁଆ ଶିକ୍ଷକ କାର୍ଯ୍ୟରେ ଅବହେଳା ମଧ୍ୟ ଯୋଗୁଁ ଦଣ୍ଡିତ ହୋଇଥିଲେ । ତେବେ ଘଟଣା ଘଟାଇବା ପରେ ମଦୁଆ ଶିକ୍ଷକ ଜଣଙ୍କ ଫେରାର ହୋଇଥିବା ବେଳେ ପ୍ରଧାନ ଛୁଟି ନେଇଥିବା ଜଣାପଡ଼ିଛି।