ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଆଜି ଡାକ୍ତରମାନେ ପ୍ରତିବାଦକୁ ଓହ୍ଲାଇଛନ୍ତି । ଶନିବାର କ୍ୟାପିଟାଲ ହସ୍ପିଟାଲର ସମସ୍ତ ଡାକ୍ତର କଳାବ୍ୟାଜ ବିନ୍ଧି ପ୍ରତିବାଦ ସ୍ୱରୂପ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ରାଜଧାନୀ ଭଳି ସ୍ଥାନରେ ଡାକ୍ତରମାନଙ୍କୁ ଆକ୍ରମଣ କରାଯାଉଛି । ଏଭଳି ଘଟଣା ବାରମ୍ବାର ଘଟୁଛି । ଡାକ୍ତରଙ୍କୁ ସୁରକ୍ଷା ଏବଂ ଡାକ୍ତରଖାନା ପରିସରରେ ସଶସ୍ତ୍ର ସୁରକ୍ଷାବଳ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ଚବିଶ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି । ସ୍ୱାସ୍ଥ୍ୟ ସଚିବ ଅସ୍ୱଥୀ. ଏସ୍ କହିଛନ୍ତି ଯେ ଡାକ୍ତରଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ୱ । ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହା ସହିତ ଡାକ୍ତରଙ୍କ ସୁରକ୍ଷା ପାଇଁ ଆଲୋଚନା କରାଯାଉଛି । ନିୟମ ଅନୁସାରେ ସୁରକ୍ଷା ଦିଆଯିବ ବୋଲି ସଚିବ କହିଛନ୍ତି ।
ଅନ୍ୟପକ୍ଷରେ ଆକ୍ରମଣ ଘଟଣାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ବିନ୍ଦୁ ସାଗର ରାଉତଙ୍କୁ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି । ଗତକାଲି ଅପରାହ୍ନରେ ଜଣେ ବ୍ୟକ୍ତିଙ୍କର ହାତ ଭାଙ୍ଗି ଯାଇଥିବାରୁ କ୍ୟାପିଟାଲ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗର ଓପିଡିକୁ ଆସିଥିଲେ । ମାତ୍ର ଓପିଡି ସମୟର ସମାପ୍ତ ହୋଇଥିବାରୁ ଡାକ୍ତର ଜନ୍ମେଞ୍ଜୟ ମିଶ୍ର ଆଶୁ ଚିକିତ୍ସା ବିଭାଗକୁ ଯିବାକୁ ପରାମର୍ଶ ଦେଇଥିଲେ । ରୋଗୀଙ୍କ ସମ୍ପର୍କୀୟ ଓପିଡିରେ ଚିକିତ୍ସା କରିବାକୁ ବାରମ୍ବାର ବାଧ୍ୟ କରିଥିଲେ । ଡାକ୍ତର ନ ଶୁଣିବାରୁ ସମ୍ପର୍କୀୟ ତଥା ଅଭିଯୁକ୍ତ ବିନ୍ଦୁ ସାଗର ରାଉତ ଡାକ୍ତରଙ୍କୁ ହେଲମେଟରେ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ । ଅନ୍ୟ ଜଣେ କର୍ମଚାରୀ ରତିକାନ୍ତ ବଳ ଧାଇଁ ଆସିବାରୁ ତାଙ୍କୁ ମଧ୍ୟ ହେଲମେଟରେ ବାଡ଼େଇ ମୁହଁ ଫଟାଇ ଦେଇଥିଲେ । ସୁରକ୍ଷାକର୍ମୀ ତୁରନ୍ତ ପହଁଚି ଅଭିଯୁକ୍ତ ବିନ୍ଦୁ ସାଗରକୁ କାବୁ କରିଥିଲେ । ତେବେ ମଉକା ଦେଖି ରୋଗୀ ଏବଂ ତାଙ୍କ ଅନ୍ୟ ସମ୍ପର୍କୀୟ ଫେରାର ହୋଇଯାଇଥିଲେ ।