ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଲଜ୍ଜା। ୭ବର୍ଷର ନାବାଳିକାକୁ ବଳାତ୍କାର କରି ତାଳପତ୍ର ଘୋଡେ଼ଇ ଅଭିଯୁକ୍ତ ଫେରାର। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ବଳାତ୍କାର କରି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ନାବାଳିକାକୁ ବଳାତ୍କାର କରିବା ପରେ ଗ୍ରାମ ଠାରୁ କିଛି ଦୂରରେ ତାଳ ପତ୍ର ଘୋଡେ଼ଇ ଫେରାର ହୋଇଯାଇଥିଲେ। ତେବେ ଶିଶୁଟି ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ଖବର ପାଇ ହିନ୍ଦୋଳ ପୋଲିସ, ଜିଲ୍ଲା ସାଇଣ୍ଟଫିକ ଟିମ ଏବଂ ଡଗ ସ୍କ୍ଵାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ପିଲାଟିକୁ ପରିବାର ଲୋକ ନପାଇ ଏଣେତେଣେ ଖୋଜାଖୋଜି କରିଥିଲେ। ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳ ପତ୍ର ଘୋଡା ଅବସ୍ଥାରେ ଠାବ କରିଥିଲେ ବୋଲି ତାଙ୍କ ଜେଜେମା’ ଗଣମାଧ୍ୟମକୁ କହିଛନ୍ତି। ବାହାର ଅଞ୍ଚଳର କେହି ଦୁର୍ବୃତ୍ତ ପିଲାଟିର ଏଭଳି ଅବସ୍ଥା କରିଥାଇ ପାରନ୍ତି ବୋଲି ଜେଜେମା ସନ୍ଦେହ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି।